ଆଜିଠୁ ମୋଦୀଙ୍କ ୫ ଦିନିଆ ଆମେରିକା ଗସ୍ତ : ସେପ୍ଟେମ୍ବର ୨୪ରେ ବାଇଡେନଙ୍କୁ ଭେଟିବେ

103

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ୫ ଦିନିଆ ଆମେରିକା ଗସ୍ତରେ ଯିବେ। ସେପ୍ଟେମ୍ବର ୨୨ରୁ ୨୬ ପର୍ୟ୍ୟନ୍ତ ‌ମୋଦୀ ଆମେରିକା ଗସ୍ତ କରିବେ ବୋଲି ବିଦେଶ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଳା ଘୋଷଣା କରିଛନ୍ତି । ମୋଦୀଙ୍କ ଗସ୍ତର ବିସ୍ତୃତ ସୂଚନା ପ୍ରଦାନ କରି ଶ୍ରୀଙ୍ଗଳା କହିଛନ୍ତି, ପ୍ରଧାନମନ୍ତ୍ରୀ ଆସନ୍ତା ୨୪ ତାରିଖରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ଦ୍ବିପା‌କ୍ଷିକ କଥାବାର୍ତ୍ତା କରିବେ । ବାଣିଜ୍ୟ ଏବଂ ବିନି‌ଯୋଗ, ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ଆଦି କ୍ଷେତ୍ର ସମତେ ଅନ୍ୟାନ୍ୟ ବିଷୟବସ୍ତୁ ଉପରେ ମୋଦୀ-ବାଇଡେନ୍‌ ଆଲୋଚନା କରିବେ । ଆଫଗାନିସ୍ତାନରେ ବର୍ତ୍ତମାନର ଆଞ୍ଚଳିକ ସୁରକ୍ଷା ସ୍ଥିତି ସଂକ୍ରାନ୍ତରେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇପାରେ। ମୋଦୀ ମଧ୍ୟ ଆମେରିକା ଉପରାଷ୍ଟ୍ରପତି କମଳା ହାରିସ୍‌ଙ୍କ ସହ ପ୍ରଥମ ଥର ପାଇଁ ସାକ୍ଷାତ କରିବେ ।

ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ନରେନ୍ଦ୍ର ମୋଦୀ ଭେଟିବେ ବିଶ୍ୱର ସବୁଠୁ ଶକ୍ତିଶାଳୀ ନେତା ଜୋ ବାଇଡେନଙ୍କୁ । ହେଲେ ଆଫଗାନିସ୍ତାନ ସ୍ଥିତି ପରେ ବାଇଡେନଙ୍କ କ୍ଷମତାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଛି । ଆଉ ତାଲିବାନ ସଂପର୍କରେ ଆସିଛି ବିସ୍ତାରବାଦୀ ଚୀନ । ଅନ୍ୟପଟେ ଚାଇନା ସହିତ ଭାରତର ମଧ୍ୟ ବିବାଦ ରହିଛି । ଏପରି ସ୍ଥିତି ମୋଦୀ ଆମେରିକା ମାଟିରେ ଆତଂକବାଦ ଏବଂ ବିସ୍ତାରବାଦକୁ ରୋକିବାକୁ ଚଲାଇପାରନ୍ତି ନୂଆ ଗୋଟି । ଆଉ ଆତଂକବାଦ ବିରୋଧରେ ନେତୃତ୍ୱ ନେଇ ମୋଦି ନିଜର ଗ୍ଲୋବାଲ ଲିଡରସିପକୁ ଆଗକୁ ବଢାଇପାରନ୍ତି ।

ପୁଣି ଥରେ ଦୁନିଆ ଦେଖିବ ଏହି ଚେହେରା (ମୋଦୀ-ବାଇଡେନ ଫଟୋ) । ଆଉ ସାରା ବିଶ୍ୱର ନଜର ରହିବ ମୋଦୀ-ବାଇଡେନଙ୍କ ଉପରେ । ଆଫନିସ୍ତାନକୁ ତାଲିବାନ କବଜା କରିବା ପରେ ଏବେ ଲୁଚି ରହୁଥିବା ଆତଙ୍କବାଦ ଧୀରେ ଧୀରେ ମୁଣ୍ଡ ଟେକିଛି । ଆଉ ତାଲିବାନ ସରକାର ଜରିଆରେ ଆତଙ୍କବାଦ ସାର ବିଶ୍ୱରେ ସକ୍ରିୟ ହେବ ବୋଲି ଚିନ୍ତା କରୁଛି । ଗୋଟିଏ ପଟେ ସୁପର ପାୱାର ଆମେରିକା ତାଲିବାନ ଭୟରେ ଆଫଗାନିସ୍ତାନ ଛାଡିଛି ଅନ୍ୟପଟେ ତାଲିବାନର ନିକଟ ହୋଇଛି ଚୀନ । ମୋଦିଙ୍କ ଆମେରିକା ଗସ୍ତ ଚାଇନା ଏବଂ ଆତଙ୍କବାଦ ଉପରେ ଗୁରୁତ୍ୱ ରଖିବ । ଚୀନ ତାଲିବାନ ସହିତ ଭାବ ବଢାଇଛି । ଚୀନ ଏଭଳି କରି ଅନ୍ତର୍ଜାତୀୟ ପ୍ରସଙ୍ଗରେ ପାକିସ୍ତାନ ଏବଂ ଆଫଗାନିସ୍ତାନର ସମର୍ଥନକୁ ନିଜ ପକେଟରେ ରଖିବାକୁ ଚିନ୍ତା କରୁଛି । ଯାହାକି ଉଭୟ ଆମେରିକା ଏବଂ ଭାରତ ପାଇଁ ବିପଦ ।