ଆଜିଠାରୁ ବିଧାନସଭାର ଶୀତ ଅଧିବେଶନ : ବିରୋଧୀଙ୍କ ଅସ୍ତ୍ର ଚାଷୀ, ବେକାରୀ ସମସ୍ୟା

ଶାସକ ଦଳର ପ୍ରସଙ୍ଗ ସ୍ୱତନ୍ତ୍ର ପାହ୍ୟା, ଉପସ୍ଥାପିତ ହେବ ଅଭିଜିତ ଆୟାରଙ୍କ ସମ୍ପର୍କିତ ରିପୋର୍ଟ

65

କନକ ବ୍ୟୁରୋ : ଆଜି ଠାରୁ ଆରମ୍ଭ ହେଉଛି ବିଧାନସଭା ଶୀତ ଅଧିବେଶନ । ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେଉଛି ଶେଷ ପୂର୍ଣ୍ଣାଙ୍ଗ ଅଧିବେଶନ । ଡିସେମ୍ବର ୧୫ଯାଏ ହେବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୩ଟି କାର୍ଯ୍ୟଦିବସ ରହିଛି । ଏ ମଧ୍ୟରୁ ୧୯ଟି ସରକାରୀ ଓ ଅନ୍ୟ ୪ଟି ବେସରକାରୀ କାର୍ଯ୍ୟଦିବସ ରହିଛି ।

ଏଥିପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ଉଭୟ ଶାସକ ଓ ବିରୋଧୀ ଦଳ । ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ଓ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇବାକୁ ବିଧାୟକ ଦଳ ବୈଠକରେ ନିଷ୍ପତି ନେଇଛି ବିଜେଡି । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ବିଧାନସଭା ଅଧିବେଶନରେ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗ ଉଠାଇବ ବିଜେଡି । ସେହିପରି ପେଟ୍ରୋଲ ଦର ବୃଦ୍ଧି ପ୍ରସଙ୍ଗ ମଧ୍ୟ ଅଧିବେଶନରେ ସ୍ଥାନ ପାଇବ ବୋଲି କହିଛନ୍ତି ନବୀନ ।

ସେପଟେ ଶୀତ ଅଧିବେଶନରେ ଶାସକ ଦଳକୁ ଘେରିବାକୁ ବିଧାୟକ ଦଳ ବୈଠକରେ ରଣନୀତି ସ୍ଥିର କରିଛି କଂଗ୍ରେସ । ବେକାରୀ ସମସ୍ୟା, ରାଜରାସ୍ତାରେ ଶିକ୍ଷକଙ୍କ ଆନ୍ଦୋଳନ, ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ , ଚାଷୀ ପ୍ରସଙ୍ଗ ଓ ବିଜୁ ଯୁବ ବାହୀନୀ ଗଠନ ପ୍ରସଙ୍ଗରେ ଗୃହରେ ସରକାରକୁ ଘେରିବାକୁ ଯୋଜନା କରିଛନ୍ତି ବିରୋଧୀ ।

ଏହାସହ ଆଜି ବିଧାନସଭାରେ ଉପସ୍ଥାପିତ ହେବ ବହୁ ଚର୍ଚ୍ଚିତ ଅଭିଜିତ ଆୟାରଙ୍କ ସଂପର୍କରେ ରିପୋର୍ଟ । ଅଭିଜିତ ଆୟାର ଦେଇଥିବା ସମସ୍ତ ବୟାନକୁ ଗୃହ କମିଟି ତର୍ଜମା କରିସାରିବା ସହ ରିପୋର୍ଟ ମ ପ୍ରସ୍ତୁତ କରିସାରିଛି । ତେଣୁ ବାଚସ୍ପତିଙ୍କ ନିର୍ଦ୍ଦେଶ ଆଧାରରେ ଆଜି ବିଧାନସଭାରେ ଗୃହ କମିଟି ଅଧକ୍ଷ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର ରିପୋର୍ଟ ଦାଖଲ କରିବେ । ତେବେ ଅଭିଜିତଙ୍କ ବିରୋଧରେ ନିର୍ଦ୍ଦିଷ୍ଟ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନା ଅଭିଜିତ ଗୃହ କମିଟି ସାମ୍ନାରେ ଯେଉଁ କ୍ଷମା ମାଗିଛନ୍ତି ସେ ନେଇ କମିଟି ସୂଚାଇ କାର୍ଯ୍ୟାନୁଷ୍ଠାନ ନିଷ୍ପତି ଗୃହ ଉପରେ ଛାଡିଦେବେ ତାହା ଏବେ ରହସ୍ୟ ଘେରରେ ରହିଛି ।

କୋଣାର୍କ ,ପୁରୀ ଶ୍ରୀମନ୍ଦିର ସମେତ ଓଡିଶାର ଅସ୍ମିତାକ ଯଥେଷ୍ଟ ଆଘାତ ପହଁଚାଇଥିବା ଅଭିଜିତ୍ ବିଧାୟକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ସର୍ବସମ୍ମତି କ୍ରମେ ବିଧାନସଭା ଗୃହ କମିଟି ଗଠନ ହୋଇଥିଲା । ଏହି ବିବାଦୀୟ ବୟାନକୁ ନେଇ ୬ ଥର ବସିଛି ଗୃହ କମିଟି । ପୂର୍ବରୁ ୨ ଥର ବିଧାନ ସଭାର ଗୃହ କମିଟିରେ ହାଜର ହୋଇ କ୍ଷମା ମଗିବା ସହିତ ଦେଇଥିବା ବୟାନର ସତ୍ୟପାଠ ଦାଖଲ କରିଥିଲେ ଅଭିଜତ ।