ଆସାମରେ ବନ୍ୟା ବିତ୍ପାତ । ୧୪ଜଣଙ୍କର ମୃତ୍ୟୁ । ଭୁସ୍କଳନ ଯୋଗୁଁ ରାଜ୍ୟବାସୀଙ୍କ ଦୁର୍ଦ୍ଦଶା ବୃଦ୍ଧି ।

68

କନକ ବ୍ୟୁରୋ:  ଆସାମ ବନ୍ୟା ପୀଡିତଙ୍କ ଅବସ୍ଥା ଦୟନୀୟ ହୋଇପଡିଛି । ବନ୍ୟା ପରର ଦୁର୍ଦ୍ଦଶା କହିଲେ ନସରେ । ବନ୍ୟାରେ ଘରଦ୍ୱାର ଭାଙ୍ଗିବା ପରେ ଅତି ଶୋଚନୀୟ ଭାବେ ଜୀବନ ବିତାଉଛନ୍ତି ଲୋକେ । ଭୟଙ୍କର ବନ୍ୟାରେ ବେସାହାର ହୋଇପଡିଥିବା ୫ଶହ ପରିବାର ଏବେ ଟ୍ରେନ ଲାଇନରେ ଆଶ୍ରୟ ନେଇଛନ୍ତି । ବିଭିନ୍ନ ଗାଁରେ ପଶିଛି ବନ୍ୟା ପାଣି । ଘର ଦ୍ୱାରା କ୍ଷେତ ବିଲ ସବୁଠି କେବଳ ବନ୍ୟା ପାଣି ହିଁ ପାଣି । ବନ୍ୟାକ୍ଷତିଗ୍ରସ୍ତ ନିକଟରେ ସରକାରୀ ସାହାଯ୍ୟ ମିଳିପାରୁନଥିବା ଅଭିଯୋଗ ହୋଇଛି । ବନ୍ୟା ଯୋଗୁଁ ଆସାମରେ ପ୍ରାୟ ୧୪ଜଣଙ୍କ ମୃତ୍ୟୁ ହୋଇଛି । ବନ୍ୟା ଓ ଭୁସ୍କଳନ ପାଇଁ କିଛି ଦିନ ହେବ ଅସ୍ତବ୍ୟସ୍ତ ହୋଇପଡିଛି ଆସାମ ।

ଲଗାଣ ବର୍ଷା ଯୋଗୁଁ ବନ୍ୟାରେ ବୁଡିଯାଇଛି ପୂରା ରାଜ୍ୟ । ସେପଟେ ବିଭିନ୍ନ ସ୍ଥାନରେ ଭୁସ୍କଳନ ଘଟଣା ଯୋଗୁଁ ରାଜ୍ୟବାସୀଙ୍କ ଦୁର୍ଦ୍ଦଶା ବୃଦ୍ଧି ପାଇଛି । ଆସାମରେ ଗୋଟେ ସପ୍ତାହ ହେବ ଜାରି ରହିଛି ବନ୍ୟାର ପ୍ରକୋପ । ରାଜ୍ୟରେ ୨୯ଟି ଜିଲ୍ଲା ବନ୍ୟା ଯୋଗୁଁ ବିଶେଷ ପ୍ରଭାବିତ ହୋଇଛି । ବନ୍ୟା ଘେରରେ ପାଖାପାଖି ୮ଲକ୍ଷ ଲୋକ ରହିଛନ୍ତି । କିଛି ଜିଲ୍ଲାରେ ବନ୍ୟା ସ୍ଥିତିରେ ସୁଧାର ଆସିଥିବାବେଳେ ନଗାଓଁ, ହୋଜୋଇ, କଚ୍ଚାର ଓ ଦରାଗଂରେ ଏବେ ବି ସ୍ଥିତି ସଂଗୀନ ରହିଛି ।

ଆସାମାରେ ବନ୍ୟାର ବିପତି ଜାରି ରହିଥିବାବେଳେ କର୍ଣ୍ଣାଟକରେ କାଳ ସାଜିଛି ବର୍ଷା । ବେଙ୍ଗାଲୁର ସହର ସହ ବିଭିନ୍ନ ସ୍ଥାନରେ ଲଗାଣବର୍ଷା ଯୋଗୁଁ ଅସମ୍ଭାଳ ହୋଇପଡିଛି ପରିସ୍ଥିତି । ରେକର୍ଡସ୍ତରରେ ଏଠାରେ ବର୍ଷା ହୋଇଛି । ସେପଟେ ବିହାରରେ କାଳବୈଶାଖୀ ବର୍ଷା ତାଣ୍ଡବ ରଚିଛି । ବର୍ଷା ସାଙ୍ଗକୁୁ ତ୍ରୀବ ବେଗରେ ପବନ ବୋହିବା ଯୋଗୁଁ ୧୬ ଜିଲ୍ଲାରେ କ୍ଷୟକ୍ଷତି ହୋଇଛି । ଏଥିସହ ବିଜୁଳି ପଡିବା ଯୋଗୁଁ ପ୍ରାୟ ୩୩ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରି ଶୋକପ୍ରକାଶ କରିଛନ୍ତି ।