ଆସାମରେ ବର୍ଷା ଓ ଭୂସ୍ଖଳନ ଫଳରେ ୨୫ ଜଣଙ୍କ ମୃତ୍ୟୁ, ସହାୟତାରେ ଅବହେଳା ନେଇ କେନ୍ଦ୍ର ଉପରେ କଂଗ୍ରେସର ଅଭିଯୋଗ

62

କନକ ବ୍ୟୁରୋ : ଆସାମରେ ପ୍ରଳୟଙ୍କାରୀ ବର୍ଷା ଓ ଭୂସ୍ଖଳନ ଫଳରେ ୨୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୭.୫ ଲକ୍ଷରୁ ଅଧିକ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ସୂଚନା ମୁତାବକ ମୃତକ ୨୫ ଜଣଙ୍କ ମଧ୍ୟରୁ ୨୦ ଜଣଙ୍କ ମୃତ୍ୟୁ ବନ୍ୟା ଯୋଗୁଁ ହୋଇଥିବା ବେଳେ ୫ ଜଣ ଭୂସ୍ଖଳନ କାରଣରୁ ମୃତ୍ୟୁବରଣ କରିଛନ୍ତି ।

ଆସାମ ଡିଜାଷ୍ଟର ମ୍ୟାନେଜମେଣ୍ଟବିଭାଗର ରିପୋର୍ଟ ମୁତାବକ ନାଙ୍ଗବା ଅଞ୍ଚଳ ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଏଠାରେ ୩.୫୧ ଲକ୍ଷ ଲୋକ ବନ୍ୟାରେ ପୀଡିତ ହୋଇଛନ୍ତି । ଏହାସହ ପୁରା ରାଜ୍ୟରେ ୧୭୦୯ ଗାଁ ଜଳମଗ୍ନ ହୋଇଥିବା ବେଳେ ୮୨,୫୦୩ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିବା କୁହାଯାଇଛି ।

ସେପଟେ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । କଂଗ୍ରେସ ତରଫରୁ କୁହାଯାଇଛି କି ରାଷ୍ଟ୍ରୀୟ ବିପର୍ଯ୍ୟୟ ପାଣ୍ଠିରୁ ଯେଉଁ ରାଶି ଆସାମକୁ ମିଳିବା କଥା ତାହା କେନ୍ଦ୍ର ସରକାର ଦେଇ ନାହାଁନ୍ତି । ଏନେଇ କଂଗ୍ରେସ ନେତା ମନଜୀତ ମହନ୍ତ କହିଛନ୍ତି କି ଏନଡିଆରଏଫ ପାଣ୍ଠିରୁ ୨୦୨୧-୨୨ ରେ କେନ୍ଦ୍ର ସରକାର ୧ ହଜାର କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ସମାନ ସ୍ଥିତିରେ ଆସାମକୁ ଗୋଟିଏ ବି ଟଙ୍କା ଦେଇ ନାହାଁନ୍ତି । ଏହାସହ ସେ ଅଭିଯୋଗ ଆଣିଛନ୍ତି ୨୦୧୮-୧୯ ଓ ୨୦୧୯-୨୦ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ତରଫରୁ ଆସାମକୁ କିଛି ବି ଆବଣ୍ଟିତ ହୋଇନାହିଁ । କେବଳ ୨୦୨୦-୨୧ ଆର୍ଥିକ ବର୍ଷରେ ମାତ୍ର ୪୪.୩୭ କୋଟି ଟଙ୍କା ମିଳିଛି ।