ଛାତ୍ରଙ୍କ ଉଗ୍ର ରୂପ ଦେଖିଲା ଦେଶ । ରେଲୱେ ପରୀକ୍ଷାରେ ଅନିୟମିତତା ନେଇ ପାସେଞ୍ଜର ଟ୍ରେନରେ ନିଆଁ ଲଗାଇଲେ ଛାତ୍ର, ପୋଲିସ ଉପରକୁ ଫିଙ୍ଗିଲେ ପଥର ।

475

କନକ ବ୍ୟୁରୋ : ପାସେଞ୍ଜର ଟ୍ରେନରେ ନିଆଁ ଲଗାଇଲେ ଛାତ୍ର । ରେଲୱେ ନିଯୁକ୍ତି ବୋର୍ଡର ପରୀକ୍ଷା ପରିଚାଳନାରେ ଅନିୟମିତତା ଅଭିଯୋଗରେ ବିହାରର କିଛି ଛାତ୍ର ପାସେଞ୍ଜର ଟ୍ରେନରେ ନିଆଁ ଲଗାଇ ଦେଇଛନ୍ତି । ଏପରିକି ନିଆଁ ଲଗାଇବା ସହ ବିକ୍ଷୋଭରତ ଛାତ୍ରମାନେ ପୋଲିସ ଉପରକୁ ପଥର ମଧ୍ୟ ଫୋପାଡିଛନ୍ତି । ବିକ୍ଷୋଭ ଯୋଗୁ ୫ ଘଂଟା ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ପରେ ସେମାନଙ୍କୁ ହଟାଇ ଦିଆଯାଇଛି ।
୨୦୨୧ରେ ରେଲୱର ନନ୍ ଟେକ୍ନିକାଲ ପୋଷ୍ଟ ପାଇଁ ହୋଇଥିବା ପରୀକ୍ଷା ଫଳରେ ତାଳମେଳ ରହୁନଥିବା ଅଭିଯୋଗ କରି ଛାତ୍ରମାନେ ବିହାରର ଶରିଫ୍ ରେଳ ଷ୍ଟେସନରେ ବିକ୍ଷୋଭ କରିଥିଲେ । ଶତାଧିକ ଛାତ୍ର କୋଲକତା-ନୁଆଦିଲ୍ଲୀ ମୁଖ୍ୟ ରେଲୱେ ଲାଇନକୁ ରାଜେନ୍ଦ୍ର ନଗର ଟର୍ମିନାଲରେ ଅବରୋଧ କରିଥିଲେ ।

ସୂଚନା ମୁତାବକ ଆରଆରବି ଏନଟିପିସିର ସିବିଟି-୧ ପରୀକ୍ଷା ଫଳ ଗତ ଜାନ୍ରୁଆରୀ ୧୫ ତାରିଖରେ ପ୍ରକାଶ ପାଇଥିଲା । ସେଥିରେ ସିବିଟି-୨ ପରୀକ୍ଷା ପାଇଁ ଚୁଡାନ୍ତ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରାଯାଇଥିଲା । ଏହି ପରୀକ୍ଷା ଫଳରେ ଭୁଲ ହୋଇଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି । ଏପଟେ ପୋଲିସ ସିସିଟିଭି ଆଧାରରେ ବିକ୍ଷୋଭକାରୀମାନଙ୍କୁ ଚିହ୍ନଟ କରି ଗିରଫ କରିବ ବୋଲି ଜଣେ ଅଧିକାରୀ କହିଛନ୍ତି ।