କନକ ବ୍ୟୁରୋ : ଏଏସଓ ଚୟନରେ ଅନିୟମିତତା ମାମଲାରେ ମେଧା ତାଲିକାକୁ କାଏମ ରଖିଲେ ହାଇକୋର୍ଟ । ଜଣକିଆ ଖଣ୍ଡପୀଠଙ୍କ ରାୟକୁ ଡିଭିଜନ ବେଞ୍ଚରେ ଖାରଜ କରାଯାଇଛି । ଓପିଏସସି ଚୟନ ପ୍ରକ୍ରିୟାରେ ତ୍ରୁଟି ନଥିବା କହିଛନ୍ତି ୨ ଜଣିଆ ଖଣ୍ଡପୀଠ । ପୂର୍ବରୁ ଜଣିକିଆ ଖଣ୍ଡପୀଠ ଯେଉଁ ରାୟ ଦେଇଥିଲେ ତାହାକୁ ନେଇ ହାଇକୋର୍ଟକୁ ଯାଇଥିଲେ ଅନେକ ପରୀକ୍ଷାର୍ଥୀ । ଆଉ ପରୀକ୍ଷାର୍ଥୀଙ୍କ ପିଟିସନ ଆଧାରରେ ଶୁଣାଣି କରି ଏଭଳି ରାୟ ଦେଇଛନ୍ତି ଡିଭିଜନ ବେଞ୍ଚ ।

Advertisment

ଏହି ରାୟ ଆସିବା ପରେ ୧୧୦୪ ଜଣଙ୍କ ମେରିଟ ଲିଷ୍ଟ କାଏମ ରହିଛି । ଏହାସହ ଯେଉଁଠାରୁ ଚୟନ ପ୍ରକ୍ରିୟା ବନ୍ଦ ହୋଇଥିଲା ସେହିଠାରୁ ପୁଣିଥରେ ଚୟନ ପ୍ରକ୍ରିୟା ଆରମ୍ଭ କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହାପୂର୍ବରୁ ଏଏସଓ ଚୟନରେ ଅନିୟମିତତା ହେଉଥିବା ନେଇ ଅଭିଯୋଗ କରିଥିଲେ କିଛି ପରୀକ୍ଷାର୍ଥୀ । ଯେଉଁମାନଙ୍କ ପିଟିସନର ଶୁଣାଣି କରି ପ୍ରକାଶ ପାଇଥିବା ମେରିଟ୍ ଲିଷ୍ଟ ବଦଳରେ ନୂଆ ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ରାୟ ଦେଇଥିଲେ । କିନ୍ତୁ ଜଣିକିଆ ଖଣ୍ଡପୀଠର ଏହି ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଅନ୍ୟ ପରୀକ୍ଷାର୍ଥୀ । ଏହି ରାୟକୁ ୨ ଜଣିଆ ଖଣ୍ଡପୀଠ ତର୍ଜମା କରନ୍ତୁ ବୋଲି ହାଇକୋର୍ଟରେ ପିଟିସନ ଦାୟର କରିଥିଲେ । ଉଭୟ ପକ୍ଷର ଯୁକ୍ତି ଶୁଣିବା ସହ ଓପିଏସସି ପରୀକ୍ଷା ପରିଚାଳନାର ଗାଇଡଲାଇନକୁ ତର୍ଜମା କରିଥିଲେ ଦୁଇ ଜଣିଆ ଖଣ୍ଡପୀଠ । ଏହାସହ ପୁରୁଣା ମେରିଟ୍ ଲିଷ୍ଟକୁ କାଏମ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।