ଛାତିଥରା ଦୃଶ୍ୟକୁ ଦେଖିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରଖିଲେ ପ୍ରତିକ୍ରିୟା

737

କନକ ବ୍ୟୁରୋ: ବାହାନଗା ଷ୍ଟେସନର ଭୟଙ୍କର ଦୃଶ୍ୟକୁ ଅନୁଧ୍ୟାନ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସମସ୍ତ ମୃତକଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି । ଏବେବି ବଗିରେ ଫଶିରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଗତ ରାତିରୁ ରେଲୱେ, ଏନଡିଆରଏଫ୍, ଏସଡିଆରଏଫ୍ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ସବୁ ସ୍ଥାନରୁ ଭୁବନେଶ୍ୱରକୁ ମୋବିଲାଇଜେସନ୍ କରାଯାଇଛି ଫଳରେ ଏଠି ଉଦ୍ଧାରକାର୍ଯ୍ୟକୁ ଯଥାଶୀଘ୍ର ଶେଷ କରାଯାଇପାରିବ । ଯେଉଁ ଦିବଙ୍ଗତମାନେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ସେମାନଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ଏହାସହ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ରାଜ୍ୟ ସହ ରାଜ୍ୟ ବାହାର ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ଗତକାଲି ରାତିରୁ ମୃତକ ତଥା ଆହତଙ୍କ ପାଇଁ କ୍ଷତିପୂରଣ ଘୋଷଣା କରାଯିବା ସହ ଏପରି ଏକ ବଡ ଧରଣର ଦୁର୍ଘଟଣାର ତଦନ୍ତ କରିବାକୁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ତଦନ୍ତ ପାଇଁ କମିଶନର ରେଲ୍ ସେଫ୍ଟିକୁ ମଧ୍ୟ ଡକାଯାଇଛି, ଯିଏ କି ଏହି ଦୁର୍ଘଟଣାର ମୂଳ କାରଣକୁ ଖୋଜି ବାହାର କରିବେ । ତେବେ ବର୍ତ୍ତମାନ ଗୁରୁତ୍ୱ ମୁଖ୍ୟତଃ ଉଦ୍ଧାର କାର୍ଯ୍ୟ , ଆହତଙ୍କୁ ଚିକିତ୍ସା ଓ ଯାତ୍ରୀଙ୍କ ପରିବାର ସହ ସମ୍ପର୍କ ସ୍ଥାପନ ଉପରେ ଦିଆଯାଉଛି ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ ।