ରାଜ୍ୟର ନୂଆ ଆଡଭୋକେଟ ଜେନେରାଲ୍ ହେଲେ ବରିଷ୍ଠ ଆଇନଜୀବୀ ଅଶୋକ ପରିଜା । ରାଜ୍ୟ ସରକାର ଦେଲେ ନିଯୁକ୍ତି । 

281

କନକ ବ୍ୟୁରୋ : ରାଜ୍ୟର ନୂଆ ଆଡଭୋକେଟ୍ ଜେନେରାଲ୍ ଭାବେ ନିଯୁକ୍ତ ହୋଇଛନ୍ତି ବରିଷ୍ଠ ଆଇନଜୀବୀ ଅଶୋକ ପରିଜା । ବର୍ତମାନର ଆଡଭୋକେଟ୍ ଜେନେରାଲ ସୂର୍ଯ୍ୟ ମିଶ୍ରଙ୍କ ସ୍ଥାନରେ ଅଶୋକ ପରିଜାଙ୍କୁ ଆଡଭୋକେଟ୍ ଜେନେରାଲ୍ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ୨୦୧୬ ମସିହାରେ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନର ସଭାପତି ଭାବେ ସେ ନିର୍ବାଚିତ ହୋଇଥିଲେ । ସେହିପରି ୨୦୧୧ରେ ଭାରତୀୟ ବାର୍ କାଉନସିଲର ଅଧ୍ୟକ୍ଷ ଭାବେ ମଧ୍ୟ ନିର୍ବାଚିତ ହୋଇ ଦାୟିତ୍ୱ ତୁଲାଇଥିଲେ ବରିଷ୍ଠ ଆଇନଜୀବୀ ଅଶୋକ ପରିଜା ।

ମାତ୍ର ୨୩ ବର୍ଷ ବୟସରେ ଆଇନଜୀବୀ ଭାବେ କାର୍ଯ୍ୟ ସେ ଆରମ୍ଭ କରିଥିଲେ । ଆଇନ କ୍ଷେତ୍ରରେ ଗଠନମୂଳକ ସଂସ୍କାର ଆଣିବା ପାଇଁ ସେ ଉଦ୍ୟମ କରି ଆସିଛନ୍ତି । ସବୁ ସ୍ତରର ବ୍ୟକ୍ତିଙ୍କ ନିକଟରେ କିପରି ଆଇନର ସେବା ପହଁଚିବ ସେଥିପାଇଁ ମଧ୍ୟ ସେ ପ୍ରୟାସ କରିଆସିଛନ୍ତି । ଭାରତୀୟ ବାର୍ କାଉନସିଲର ଉନ୍ନତି ପାଇଁ ମଧ୍ୟ ଅନେକ ପଦକ୍ଷେପ ନେଇ ପ୍ରଶଂସିତ ହୋଇଛନ୍ତି ଏହି ବରିଷ୍ଠ ଆଇନଜୀବୀ ।