କନକ ବ୍ୟୁରୋ : ରାଜସ୍ଥାନ କଂଗ୍ରେସରେ ଦେଖାଦେଇଥିବା ବିଦ୍ରୋହ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ କ୍ଲିନଚିଟ୍ । ଦଳର ପର୍ଯ୍ୟବେକ୍ଷକ ଅଜୟ ମାକେନ ଏବଂ ମଲ୍ଲିକାର୍ଜୁନ ଖାଡଗେ ଏକ ଲିଖିତ ରିପୋର୍ଟ ସୋନିଆ ଗାନ୍ଧୀଙ୍କ ନିକଟରେ ଦାଖଲ କରିଛନ୍ତି । ଏହି ରିପୋର୍ଟରେ ଗେହଲଟଙ୍କୁ କ୍ଲିନ ଚିଟ୍ ଦିଆଯାଇଥିବା ସୂଚନା ରହିଛି । ହେଲେ ଗେହଲଟଙ୍କ ପାଇଁ ମେଳି କରିଥିବା ତିନି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି କଂଗ୍ରେସ । ଏମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମାକେନ ସୁପାରିସ କରିଛନ୍ତି ।

Advertisment

ମାକେନ ଦାଖଲ କରିଥିବା ରିପୋର୍ଟରେ ମୁଖ୍ୟ ସଚେତକ ମହେଶ ଯୋଶୀ, ଆରଟିଡିସି ଅଧ୍ୟକ୍ଷ ଧର୍ମେନ୍ଦ୍ର ପାଠକ ଓ ବିଧାୟକ ଶାନ୍ତି ଧାରିୱାଲଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି । ଏବଂ କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେ ନେଇ ୧୦ ଦିନ ମଧ୍ୟରେ ଉଭୟ ନେତା ଉତର ରଖିବେ । କଂଗ୍ରେସ ପକ୍ଷରୁ ବିଧାୟକ ଦଳ ବୈଠକ ଡକାଯାଇଥିଲା । ହେଲେ ଏହି ୩ ନେତା ସମାନ୍ତରଳ ଭାବେ ଅନ୍ୟ ବିଧାୟକଙ୍କୁ ନେଇ ବୈଠକ କରିଥିଲେ । ବୈଠକ ବେଳେ ବିଧାୟକମାନେ ୨୦୨୦ରେ ସଚିନ ପାଇଲଟ କରଥିବା ବିଦ୍ରୋହ କଥା ଉଠାଇଥିଲେ । ଏହାପରେ ସେମାନେ ଗୋଟିଏ ସଂକଳ୍ପ ପାରିତ କରିଥିଲେ ।

ଏଥିରେ ସେମାନେ କହିଥିଲେ ଯେ ୨୦୨୦ରେ ସରକାରଙ୍କ ସହ ଯେଉଁମାନେ ଥିଲେ, ସେମାନଙ୍କ ମଧ୍ୟରୁ ହିଁ ମୁଖ୍ୟମନ୍ତ୍ରୀ ବଛାଯିବେ । ଏହି ଘଟଣା ପରେ ଦଳ ପକ୍ଷରୁ ଡକାଯାଇଥିବା ବୈଠକରେ ୯୨ ଜଣ ବିଧାୟକ ଯୋଗ ଦେଇ ନଥିଲେ । ସେମାନେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଦୂରେଇ ରଖିବା ପାଇଁ ବାଚସ୍ପତିଙ୍କୁ ଭେଟି ଇସ୍ତଫା ଧମକ ଦେଇଥିଲେ । ଏହି ଘଟଣା ପଛରେି ୩ ବିଧାୟକ ପୂରା ବିବାଦ ସୃଷ୍ଟି କରିଥିଲେ । ତେଣୁ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ମାକେନ ରିପୋର୍ଟରେ ସୋନିଆଙ୍କୁ କହିଛନ୍ତି ।