ମହାରାଷ୍ଟ୍ର ରାଜନୀତି : ସରକାରୀ ଘର ଛାଡିଲେ ଉଦ୍ଧବ ଠାକରେ; କହିଲେ ଇସ୍ତଫାପତ୍ର ପ୍ରସ୍ତୁତ ରଖିଛି, ଯେକୌଣସି ଶିବ ସୈନିକ ହୋଇପାରିବେ ମୁଖ୍ୟମନ୍ତ୍ରୀ

179

କନକ ବ୍ୟୁରୋ : ମହାରାଷ୍ଟ୍ରରେ ରାଜନୈତିକ ମହାସଙ୍କଟ ଦେଖା ଦେଇଥିବା ବେଳେ ଭାବପ୍ରବଣତାର କାର୍ଡ ଖେଳିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଘର ଛାଡ଼ି ପୈତୃକ ବାସଭବନ ମାତୋଶ୍ରୀଙ୍କୁ ଚାଲି ଯାଇଛନ୍ତି । ଉଦ୍ଧବ କହିଛନ୍ତି, ଯଦି ଜଣେ ବି ଅସନ୍ତୁଷ୍ଟ ବିଧାୟକ ମୋତେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ କହିବେ, ତା’ହେଲେ ମୁଁ ପଦ ସହ ବାସଭବନ ଛାଡ଼ି ଦେବି । ମୁଁ ମୋର ଇସ୍ତଫାପତ୍ର ପ୍ରସ୍ତୁତ କରି ରଖିଛି ।

ଯେକୌଣସି ଶିବ ସୈନିକ ମୁଖ୍ୟମନ୍ତ୍ରୀ ହୋଇପାରିବେ । ମୁଖ୍ୟମନ୍ତ୍ରୀ ପଦ ମୋ ପାଖରୁ ହଠାତ୍ ଆସିଥିଲା । ଏଥିପାଇଁ ମୁଁ କେବେ ହେଲେ ଆଶା ରଖି ନଥିଲି । ଯଦି ଆପଣମାନେ କହିବେ, ତା’ହେଲେ ମୁଁ ମୁଖ୍ୟମନ୍ତ୍ରୀ ଏବେ ଛାଡ଼ି ଦେବି । ଏହା ଆଦୌ ସଂଖ୍ୟାର ଖେଳ ନୁହେଁ ବୋଲି ସେ କହିଛନ୍ତି । ହିନ୍ଦୁତ୍ୱକୁ ନେଇ ଉଦ୍ଧବ କହିଛନ୍ତି, ଶିବସେନା କେବେ ହେଲେ ହିନ୍ଦୁତ୍ୱରୁ ନିଜକୁ ଅଲଗା କରିନି । ହିନ୍ଦୁତ୍ୱ ଆମ ନିଃଶ୍ୱାସରେ ରହିଛି । ହିନ୍ଦୁତ୍ୱ ପାଇଁ କିଏ କ’ଣ କରିଛି, ସେକଥା ଏବେ କହିବାର ସମୟ ନୁହେଁ । ମୁଁ ସବୁବେଳେ ବାଲାସାହେବଙ୍କ ହିନ୍ଦୁତ୍ୱକୁ ଆଗକୁ ନେବାକୁ କାମ କରି ଆସିଛି ।

ଯେଉଁ ପର୍ଯ୍ୟନ୍ତ ଶିବ ସୈନିକ ମୋ ସହ ରହିଛନ୍ତି, ସେ ଯାଏ ମୋର କୌଣସି ଚିନ୍ତା ନାହିଁ । ଏପରି ଉଦବୋଧନ ଦେବା ପରେ ନାଟକୀୟ ଢଙ୍ଗରେ ସରକାରୀ ବାସଭବନ ଛାଡିଛନ୍ତି ଉଦ୍ଧବ ଠାକରେ । ଉଦ୍ଧବ ଠାକରେଙ୍କ ଭାବପ୍ରବଣ ବୟାନ ପରେ ଏହାର ଯବାବ ରଖିଛନ୍ତି ବିଦ୍ରୋହୀ ଶିବସେନା ବିଧାୟକ ଏକନାଥ ସିନ୍ଦେ । ସିନ୍ଦେ କହିଛନ୍ତି, ମେଂଟ ଭାଙ୍ଗିବା ଶିବସେନା ପାଇଁ ନିହାତି ଆବଶ୍ୟକ । କଂଗ୍ରେସ ଏବଂ ଏନସିପି ସହ ଅପ୍ରାକୃତିକ ମେଂଟରୁ ଓହରି ନିଜ ଦଳ ଏବଂ କର୍ମୀଙ୍କୁ ରକ୍ଷା କରିବା ଦରକାର । ଗତ ଅଢେଇ ବର୍ଷ ମଧ୍ୟରେ ସରକାର ଦ୍ୱାରା କେବଳ କଂଗ୍ରେସ ଓ ଏନସିପି ଲାଭବାନ ହୋଇଛନ୍ତି । କିନ୍ତୁ ଶିବସୈନିକଙ୍କୁ କିଛି ଫାଇଦା ମିଳିନାହିଁ ବୋଲି ସିନ୍ଦେ କହିଛନ୍ତି ।