ବିବାଦ ପରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ଅଗ୍ନିବୀରରେ ୪ ବର୍ଷ କାର୍ଯ୍ୟକାଳ ପରେ ମିଳିବ ନିଯୁକ୍ତି

1,403

କନକ ବ୍ୟୁରୋ : ବିବାଦ ଭିତରେ ଅଗ୍ନିପଥ ଯୋଜନାକୁ ନେଇ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପ୍ରଥମ ଓ ସବୁଠାରୁ ବଡ ନିଷ୍ପତ୍ତି ହେଲା- ଅଗ୍ନିବୀରଙ୍କ ପାଇଁ ସର୍ବାଧିକ ବୟସ ସୀମାକୁ ୫ବର୍ଷ ବଢାଇ ଦିଆଯାଇଛି । ବିବାଦ ପରେ ପ୍ରଥମ ବର୍ଷ ଲାଗି ଏହି ବୟସ ସୀମାକୁ ୨ ବର୍ଷ ବୃଦ୍ଧି କରାଯାଇଥିଲା । ଏବେ ୫ ବର୍ଷ ବୃଦ୍ଧି କରାଯାଇଥିବା ଟ୍ୱିଟ କରି ସୂଚନା ଦେଇଛନ୍ତି ଅମିତ ଶାହା । ସେହିପରି ଅଗ୍ନିବୀରଙ୍କ ପାଇଁ ଅର୍ଦ୍ଧ ସାମରିକ ବଳରେ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ ।

ଅର୍ଥାତ ଅଗ୍ନିବୀର ଭାବରେ ୪ ବର୍ଷ କାର୍ଯ୍ୟକାଳ ଶେଷ କରିଥିଲେ ସିଏପିଏଫ ଓ ଆସାମ ରାଇଫଲ୍ସ ଭଳି ଅର୍ଦ୍ଧ ସାମରିକ ବାହିନୀରେ ୧୦ ପ୍ରତିଶତ ସଂରକ୍ଷଣ ମିଳିବ । ଏଥିସହ ସର୍ବାଧିକ ବୟସ ସୀମାରେ ୩ ବର୍ଷ କୋହଳ କରାଯିବ । ସେନାବାହିନୀରେ ସୈନିକ ନିଯୁକ୍ତି ପ୍ରକ୍ରିୟାରେ ସଂସ୍କାର ଆଣିବାକୁ ଅଗ୍ନିପଥ ଯୋଜନା ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏହା ବିରୋଧରେ ତୀବ୍ର ହେଉଛି ଆନ୍ଦୋଳନ । ଯେଉଁ ଆନ୍ଦୋଳନ ଏବେ ୧୩ ରାଜ୍ୟକୁ ବ୍ୟାପିଲାଣି । ବିହାର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ହରିୟାଣା, ମଧ୍ୟପ୍ରଦେଶ, ତେଲେଙ୍ଗାନା ଆଦି ରାଜ୍ୟ ସହ ଓଡ଼ିଶାରେ ମଧ୍ୟ ଆନ୍ଦୋଳନ ହୋଇଛି ।

ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଥିବାରୁ ଗୋଟିଏ ପରେ ଗୋଟିଏ ନୂଆ ଘୋଷଣା କରିଚାଲିଛନ୍ତି କେନ୍ଦ୍ର ସରକାର । ବିହାରରେ ହିଂସା ଭୟଙ୍କର ରୂପ ନେଇଛି । ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ଆଜି ବିହାର ବନ୍ଦ ଡାକରା ଦିଆଯାଇଛି । ରାଜ୍ୟବ୍ୟାପୀ ୨୪ ଘଂଟିଆ ବନ୍ଦ ପାଳନ ହେଉଛି । ଆରଜେଡି ସମେତ ବାମ ଦଳ ଗୁଡିକ ଏହାକୁ ସମର୍ଥନ କରୁଛନ୍ତି । ରାଜ୍ୟରେ ହିଂସା ବଡୁଥିବାରୁ ପୋଲିସ ପକ୍ଷରୁ ଅନେକ ସହରରେ ଇଂଟରନେଟ୍ ସେବା ବାତିଲ କରାଯାଇଛି । ଏହାରି ଭିତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ।