ଅକ୍ସିଜେନ୍ ସମସ୍ୟାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଘେରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ସହ ଚର୍ଚ୍ଚାର ଭିଡିଓ ସେୟାର କରି ସମାଲୋଚନାର ଶିକାର ହେଲେ କେଜ୍ରିୱାଲ ।

413

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କ ବୈଠକ ହୋଇଛି । ଏତିକି ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅକ୍ସିଜେନକୁ ନେଇ ଦିଲ୍ଲୀ ସମ୍ମୁଖୀନ ହେଉଥିବା ସମସ୍ୟାର ଗୋଟି ଗୋଟି ତଥ୍ୟ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ରଖିଛନ୍ତି । କିନ୍ତୁ ଏସବୁ ଭିତରେ ଅରବିନ୍ଦ କେଜ୍ରିୱାଲଙ୍କ ମନ୍ତବ୍ୟର ସିଧାପ୍ରସାରଣକୁ ନେଇ ବିବାଦ ଉଠିଛି । ଆଉ ଏହାକୁ ପରମ୍ପରାର ଉଲ୍ଲଙ୍ଘନ ହୋଇଛି କହିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକକୁ କେଜ୍ରିୱାଲ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ତେବେ ଏମିତି କଣ ଘଟିଗଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରମ୍ପରାର ଉଲ୍ଲଙ୍ଘନ ହୋଇଛି କହିବା ସହ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଆଉ ଏହା ପରେ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଭୁଲ୍ ହୋଇଯାଇଛି କହିବା ସହ ପରବର୍ତୀ ସମୟରେ ଏଥିପ୍ରତି ଧ୍ୟାନ ଦିଆଯିବ ବୋଲି କହିଛନ୍ତି ।

  • ଭୁଲ୍ କରିଦେଲେ କି କେଜ୍ରିୱାଲ?
  • ସିଧାପ୍ରସାରଣ ପଛରେ ରହିଛି କି ରାଜନୀତି?

କରୋନାର ଦ୍ରୁତ ସଂକ୍ରମଣ ଓ ହସ୍ପିଟାଲ ବେଡରୁ ଆରମ୍ଭ କରି ଅକ୍ସିଜେନ୍ ସିଲିଣ୍ଡରର ଅଭାବ ଅଭିଯୋଗ ଭିତରେ ସ୍ଥିତିର ସମୀକ୍ଷା କରିଛନ୍ତି ମୋଦୀ । ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଚର୍ଚ୍ଚାବେଳେ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦେଶରେ ଅକ୍ସିଜେନ୍ ପ୍ଲାଂଟଗୁଡିକୁ ସେନା ନିଜ ନିୟନ୍ତ୍ରଣକୁ ନେବା ଦରକାର ବୋଲି ବୈଠକରେ ପ୍ରସ୍ତାବ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେହିପରି ଦିଲ୍ଲୀର ଅନୁରୋଧ କ୍ରମେ କେନ୍ଦ୍ର ସରକାର ଅକ୍ସିଜେନ କୋଟା ବୃଦ୍ଧି କରିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ତଥାପି ଏହା ପର୍ଯ୍ୟାପ୍ତ ନୁହେଁ ବୋଲି ଅଭିଯୋଗ କରିଛନ୍ତି କେଜ୍ରିୱାଲ ।

ସେହିପରି ଅକ୍ସିଜେନର ଅଭାବ ଦେଖାଦେଲେ ଓ ଜରୁରିକାଳୀନ ସ୍ଥିତିର ମୁକାବିଲା ପାଇଁ ତୁରନ୍ତ ଅକ୍ସିଜେନ ଆବଶ୍ୟକ ପଡିଲେ ସେ କେନ୍ଦ୍ରରେ କାହାକୁ ଫୋନ କରି ଜଣାଇବେ ବୋଲି ବୈଠକରେ ପ୍ରଶ୍ନ କରିଛନ୍ତି । ଏପରିକି ଦିଲ୍ଲୀକୁ ଆସୁଥିବା ଅକ୍ସିଜେନ ଟ୍ରକକୁ ଅନ୍ୟ ରାଜ୍ୟରେ ଅଟକାଇ ଦିଆଗଲେ କାହାକୁ ଆପତି କରିବେ ବୋଲି ପଚାରିଛନ୍ତି । ଦେଶର କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କେରଳ, କର୍ଣ୍ଣାଟକ, ଛତିଶଗଡ, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।