କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ଏକାଠି ହେଉଛନ୍ତି ବିରୋଧୀ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟି ଆଲୋଚନା କଲେ ବିହାର ମୁଖ୍ୟମନ୍ତ୍ରୀ

116

କନକ ବ୍ୟୁରୋ : ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାର ମଧ୍ୟରେ କ୍ଷମତା ଲଢ଼େଇ ଲାଗି ରହିଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳୁଛି ବିରୋଧୀଙ୍କ ସମର୍ଥନ । ଏହି କ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦିଲ୍ଲୀରେ ପହଁଚି କେଜ୍ରିୱାଲଙ୍କୁ ସାକ୍ଷାତ କରିଛନ୍ତି । ନୀତିଶଙ୍କ ସହ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ କେଜ୍ରିୱାଲଙ୍କୁ ଭେଟିବା ସହ କେନ୍ଦ୍ର ଅଧ୍ୟାଦେଶ ଉପରେ ଆଲୋଚନା କରିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସହ କ୍ଷମତା ଲଢେଇରେ ଜେଡିୟୁୁ, ଦିଲ୍ଲୀ ସରକାରଙ୍କ ସହ ରହିଛି । ଏଥିସହ ସେ କହିଛନ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅକାମୀ କରିବା ପାଇଁ କେନ୍ଦ୍ର ଯେଉଁ ଅଧ୍ୟାଦେଶ ଆଣିଛି ତାହା ନିନ୍ଦନୀୟ । ଏହି ଘଟଣାରେ ସମସ୍ତ ବିରୋଧୀଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦେବା ସହ ସେ ଏହି ଦିଗରେ କାମ କରିବେ । କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସାରା ଦେଶରେ ଅଭିଯାନ କରିବେ ବୋଲି ନୀତୀଶ ଆହ୍ୱାନ ଦେଇଛନ୍ତି ।

ସେପଟେ କେନ୍ଦ୍ର ଅଧ୍ୟାଦେଶକୁ ଘୋର ବିରୋଧ କରି କେଜ୍ରିୱାଲ କହିଛନ୍ତି ସେ ଏହି ଘଟଣାରେ ଜଣଙ୍କ ପରେ ଜଣେ ବିରୋଧୀ ନେତାଙ୍କୁ ଭେଟିବେ ଓ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ । ସରକାରଙ୍କ ଅଧ୍ୟାଦେଶ ଯେପରି ରାଜ୍ୟସଭାରେ ଗୃହିତ ନହୋଇପାରିବ ସେ ଦିଗରେ ସମର୍ଥନ ଲୋଡିବେ । କାରଣ ସରକାର ଆଣିଥିବା ଅଧ୍ୟାଦେଶ ୬ମାସ ମଧ୍ୟରେ ସଂସଦରେ ଗୃହୀତ ହେବା ଜରୁରୀ । ନହେଲେ ଏହା ନାକଚ ହୋଇଯିବ ।

ଆଗକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ ଓ ଅନ୍ୟ ବିରୋଧୀଦଳମାନଙ୍କୁ ଭେଟିବାକୁ କେଜ୍ରିୱାଲ ଯୋଜନା କରୁଛନ୍ତି । ଦିଲ୍ଲୀ ଓ କେନ୍ଦ୍ର ସରକାର କ୍ଷମତା ଲଢେଇ ଚାଲିଥିବାବେଳେ ମେ ୧୧ରେ ସୁପ୍ରିମକୋର୍ଟ ଏକ ନିଷ୍ପତି ଶୁଣାଇଥିଲେ । ସୁପ୍ରିମକୋର୍ଟ କହିଥିଲେ କର୍ମଚାରୀଙ୍କ ନିଯୁକ୍ତି ଓ ବଦଳି କ୍ଷମତା ଦିଲ୍ଲୀ ସରକାରଙ୍କ ପାଖରେ ରହିବ । ତେବେ ୧୯ ତାରିଖରେ କେନ୍ଦ୍ର ସରକାର ଅଧ୍ୟାଦେଶ ଜାରି କରି ଏହି କ୍ଷମତା ଉପରାଜ୍ୟପାଳଙ୍କୁ ହାତକୁ ଦେବାକୁ ନିଷ୍ପତି ନେଇଥିଲେ । ଅଧ୍ୟାଦେଶ ବଳରେ ସରକାର ଏକ ନ୍ୟାସନାଲ କ୍ୟାପିଟାଲ ସର୍ଭିସ ଅଥରିଟି ଗଠନ କରିଛନ୍ତି । ଏହି ଅଥରିଟି ଦିଲ୍ଲୀ ସରକାରଙ୍କ କର୍ମଚାରୀ ନିଯୁକ୍ତ ଓ ବଦଳି ଭଳି କାର୍ଯ୍ୟପାଳିକା ନିଷ୍ପତି ନେଇପାରିବେ । ସେପଟେ ସୁପ୍ରିମକୋର୍ଟରେ ଉଭୟ ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାର ପିଟିସନ ଦାଖଲ କରିଛନ୍ତି । ସୁପ୍ରିମକୋର୍ଟ ନିଷ୍ପତିର ପୁନଃବିଚାର କରନ୍ତୁ ଦାବି ଜଣାଇ କେନ୍ଦ୍ର ସରକାର ଆବେଦନ ଦାୟର କରିଛନ୍ତି ।