କରୋନା ଭୂତାଣୁ ସଂକ୍ରମଣ ପାଇଁ ସତର୍କତା । ବିଦେଶୀ ପର୍ଯ୍ୟଟକଙ୍କୁ ଅରୁଣାଚଳ ପ୍ରଦେଶକୁ ଯିବା ଉପରେ ଲାଗିଲା କଟକଣା

ପୂର୍ବରୁ ସିକ୍କିମ ଗସ୍ତ ପାଇଁ ବିଦେଶୀଙ୍କ ଉପରେ ଲାଗିଛି କଟକଣା

277

କନକ ବ୍ୟୁରୋ: କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଅରୁଣାଚଳ ପ୍ରଦେଶରେ ବିଦେଶୀ ପର୍ଯ୍ୟଟକଙ୍କ ଉପରେ ଲାଗିଲା କଟକଣା । ଅରୁଣାଚଳ ପ୍ରଦେଶକୁ ଆସିପାରିବେନି ବିଦେଶୀ ପର୍ଯ୍ୟଟକ । ଅରୁଣାଚଳ ପ୍ରଦେଶ ପ୍ରବେଶ କରିବା ପାଇଁ ଏହି ବିଦେଶୀ ପର୍ଯ୍ୟଟକଙ୍କୁ ଦରକାର ପ୍ରୋଟେକଟେଡ ଏରିଆ ପରମିଟ । ତେବେ ପରବର୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ବିଦେଶୀମାନଙ୍କୁ ପ୍ରୋଟେକଟେଡ ଏରିଆ ପରମିଟ ପ୍ରଦାନ କରୁଥିବା କର୍ତ୍ତୃପକ୍ଷଙ୍କୁ ଏହା ନଦେବା ପାଇଁ କହିଛନ୍ତି ଅରୁଣାଚଳ ପ୍ରଦେଶ ମୁଖ୍ୟଶାସନ ସଚିବ ନରେଶ କୁମାର । ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଏହା ମୁଖ୍ୟତ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନଙ୍କ ଶରୀରରୁ ଆସୁଥିବା ସରକାରୀ ଭାବେ କୁହାଯାଇଛି । ତେଣୁ ସିକିମ ପରେ ଏବେ ଅରୁଣାଚଳ ପ୍ରଦେଶରେ ବିଦେଶୀଙ୍କ ଉପରେ ଏହି କଟକଣା ଲଗାଯାଇଛି ।

ଅନ୍ୟପଟେ ଇଟାଲୀ ଏବେ କରୋନାର ନୂଆ କେନ୍ଦ୍ର ପାଲଟିଛି । ଗୋଟିଏ ଦିନରେ ୧ହଜାର ୨ଶହ ୪୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୫୮୮୩ ହୋଇଛି । ସେହିପରି କେବଳ ଇଟାଲୀରେ କରୋନା ସଂକ୍ରମଣରେ ମୃତକଙ୍କ ସଂଖ୍ୟା ୨୩୩ରେ ପହଁଚିଛି । ଚୀନ୍ ପରେ ଇଟାଲୀରେ ସବୁଠୁ ଅଧିକ ରହିଛି ମୃତ୍ୟୁ ସଂଖ୍ୟା । ଏହାସହ ଇଟାଲୀର ପ୍ରାୟ ୨୨ଟି ପ୍ରାନ୍ତରୁ କରୋନା ଭୂତାଣୁ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ।

ସେହିପରି ଶୁକ୍ରବାର ଦିନ ସ୍ଥିତି ଗମ୍ଭୀର ଥିବା ୫୬୭ସଂକ୍ରମିତଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ସେପଟେ ସାରା ବିଶ୍ୱରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ଟପିଛି । ତେବେ ୩୫ ଶହରୁ ଅଧିକ ମୃତ୍ୟୁ ହୋଇସାରିଲାଣି । ସେପଟେ କରୋନ ମୁକାବିଲା ପାଇଁ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ଆଡଭାଇଜରୀ । କିଭଳି କରୋନାକୁ ମୁକାବିଲ କରାଯିବ ସେଥିପାଇଁ ଆଡଭାଇଜରୀ ଜାରି କରାଯାଇଛି ।