ବିଜେପି ପ୍ରଭାରୀଙ୍କ ବଡ ସଂକେତ? ବିଜୟ ଓ ଦିଲ୍ଲୀପଙ୍କୁ ପୁଣି ଫେରାଇ ନେଇପାରେ ଦଳ, କିଛି ସର୍ତ ସହ ପଦ୍ମ ଦଳରେ ସାମିଲ ହୋଇପାରନ୍ତି ଦାମ !

761

କନକ ବ୍ୟୁରୋ : ବିଜେପି ଶିବିରରୁ ଖୁବ୍ ଶୀଘ୍ର ଆସୁଛି ଖୁସି ଖବର । ପୁରୁଖା ନେତାଙ୍କ ବିଜେପିରେ ସାମିଲ ପ୍ରସଙ୍ଗରେ କିଛି ଏଭଳି ଢ଼ଙ୍ଗରେ ବୟାନ ରଖିଛନ୍ତି ବିଜେପି ପ୍ରଭାରୀ ଅରୁଣ ସିଂ । କେବଳ ଦାମ ରାଉତ, ଖାରବେଳ ସ୍ୱାଇଁ କିମ୍ବା ବ୍ରଜ ତ୍ରିପାଠୀ ନୁହଁନ୍ତି, ଉଭୟ ବିଜେଡି ଏବଂ କଂଗ୍ରେସରୁ ଏକାଧିକ ନେତା ବିଜେପିରେ ଯୋଗଦାନ କରିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଆଉ ଏସବୁ ଭିତରେ ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ କୁଆଡେ ଯାଇ ନାହାଁନ୍ତି ବୋଲି ସୂଚନା ଦେଇଛନ୍ତି ଅରୁଣ ସିଂ । ଏଭଳି ସ୍ଥିତିରେ କେଉଁ କେଉଁ ନେତା ବିଜେପି ଆଡକୁ ଢ଼ଳୁଛନ୍ତି ତାହାକୁ ନେଇ ଚର୍ଚ୍ଚା ।

ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦେବା ପରେ ଏବେ ଯେଉଁ କିଛି ପୁରୁଖା ନେତାଙ୍କୁ ନେଇ ଅଧିକ ଚର୍ଚ୍ଚା ହେଉଛି, ସେହି ଚର୍ଚ୍ଚାର ଆଗ ଧାଡ଼ିରେ ଅଛନ୍ତି- ଡକ୍ଟର ଦାମୋଦର ରାଉତ, ଖାରବେଳ ସ୍ୱାଇଁ ଏବଂ ବ୍ରଜ ତ୍ରିପାଠୀ । ସେହିପରି ବିଜେପିରୁ ଇସ୍ତଫା ଦେଇଥିବା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ଆଗାମୀ କାର୍ଯ୍ୟପନ୍ଥାକୁ ନେଇ ବି ଜୋରଦାର ଚର୍ଚ୍ଚା ହେଉଛି । ଯେତେବେଳେ ଦିଲ୍ଲୀପ ରାୟ ଏବଂ ବିଜୟ ମହାପାତ୍ରଙ୍କ ସଂପର୍କରେ ଆମେ ବିଜେପି ପ୍ରଭାରୀ ଅରୁଣ ସିଂଙ୍କୁ ପଚାରିଥିଲୁ । ତାଙ୍କ

ବିଜେପିରୁ ଇସ୍ତଫା ଦେଇ ସାରିଥିବା ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟଙ୍କ ସଂପର୍କରେ ଅରୁଣ ସିଂଙ୍କ ଏଭଳି ବୟାନ୍ କି ବାର୍ତା ଦେଉଛି । ବିଜୟ ଏବଂ ଦିଲ୍ଲୀପଙ୍କ ଇସ୍ତଫାକୁ ଗ୍ରହଣ କରିନି କି ବିଜେପି? ପୁଣି ଥରେ ଉଭୟ ନେତାଙ୍କୁ ବିଜେପି ଶିବିରକୁ ପାଛୋଟି ନେବାକୁ ଉଦ୍ୟମ କରୁଛି କି ଦଳ? ଆଉ ଏସବୁ ଭିତରେ ଯେତେବେଳେ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ ତ୍ରିପାଠୀ ଏବଂ ପୂର୍ବତନ ମନ୍ତ୍ରୀ ଦାମ ରାଉତଙ୍କ ବିଜେପିରେ ଯୋଗଦାନ ସଂପର୍କିତ ଚର୍ଚ୍ଚା ଉପରେ ପ୍ରଶ୍ନ କରାଯାଇଛି ସେତେବେଳେ ଅରୁଣ ସିଂଙ୍କ ଉତର ଥିଲା-ବହୁତ ନେତା ବିଜେପିକୁ ଆସୁଛନ୍ତି ।

ଏପଟେ ଯାହାଙ୍କୁ ନେଇ ବର୍ତମାନ ସମୟରେ ଅଧିକ ଚର୍ଚ୍ଚା, ସେଇ ନେତା ହେଉଛନ୍ତି ଡକ୍ଟର ଦାମୋଦର ରାଉତ । କୁହାଯାଉଛି- ବିଜେପିରେ ସାମିଲ ହେବା ପାଇଁ ଡକ୍ଟର ରାଉତ, ବିଜେପି ଆଗରେ କିଛି ସର୍ତ ରଖିଛନ୍ତି । ଯଦି ଚର୍ଚ୍ଚା-ଆଲୋଚନାକୁ ବିଶ୍ୱାସକୁ ନିଆଯାଏ, ତେବେ ଏହି ୫ଜଣ ନେତା ବିଜେଡିର ବିଜୟ ରଥକୁ ଅଟକାଇବାରେ ହୁଏତ ଏକ ବଡ ଭୂମିକା ନେଇ ପାରନ୍ତି । ତେଣୁ ଏହି ପୁରୁଖା ନେତାଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ବିଜେପି ଆପ୍ରାଣ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି ।