ଉତ୍ତରାଖଣ୍ଡ ଚମୋଲୀରେ ସୃଷ୍ଟି ହୋଇଛି ହ୍ରଦ । ୩୫୦ ମିଟର ଲମ୍ବା ଓ ୬୦ ମିଟର ଗଭୀର ହ୍ରଦରେ ଜମିଛି ୭୦କୋଟି ଲିଟର ପାଣି ।

320

କନକ ବ୍ୟୁରୋ: ଉତ୍ତରାଖଣ୍ଡ ଚମୋଲୀରେ ଗତ ରବିବାରର ହିମସ୍ଖଳନ ପରେ ଏକ କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି । ରୈନି ଗାଁ ନିକଟରେ ସୃଷ୍ଟି ହୋଇଥିବା ହ୍ରଦର ଆକାର ବଢିବାରେ ଲାଗିଛି । ତେବେ ଏହାର ଆକାର ବଢିଥିଲେ ମଧ୍ୟ ଆଶ୍ୱସ୍ତିକର କଥା ଏହା ଯେ ଏଥିରୁ ପାଣି ଝରିବା ଲାଗିଥିବାରୁ ବନ୍ୟା ଆଶଙ୍କା କମିବାରେ ଲାଗିଛି । ହିମସ୍ଖଳନ ହୋଇଥିବା ସ୍ଥାନରୁ ପ୍ରାୟ ୩ରୁ ୪କିଲୋମିଟର ଦୂରରେ ଏହି କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି । ତେବେ ଡିଆରଡିଓ ଏବଂ ଏନଡିଆରଏଫ ଏହା ଉପରେ ନଜର ରଖିଥିବା ବେଳେ ସାଟେଲାଇଟରୁ ଏହି ନୂଆ ହ୍ରଦର ଫଟୋ ସଂଗ୍ରହ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଏହି ହ୍ରଦରେ ୦.୭ ମିଲିୟନ କ୍ୟୁବିକ ମିଟର ଅର୍ଥାତ ପ୍ରାୟ ୭୦ କୋଟି ଲିଟର ପାଣି ଜମା ହୋଇରହିଛି । ଏହା ପ୍ରାୟ ୩୫୦ମିଟର ଲମ୍ବା ଅର୍ଥାତ ଏକ ଫୁଟବଲ ଷ୍ଟାଡିୟମର ତିନି ଗୁଣ ବଡ ଓ ୬୦ମିଟର ଗଭୀର ରହିଛି । ସମୁଦ୍ର ପତନ ଠାରୁ ୨୩୮୩ ମିଟର ଉଚ୍ଚରେ ଥିବା ଏହି ହ୍ରଦ ଭାଙ୍ଗିଗଲେ ବନ୍ୟା ମାଡି ଆସିବ । ତେବେ ଏହି ହ୍ରଦରୁ ପାଣି ଝରିବା ଆରମ୍ଭ ହୋଇଥିବାରୁ ଏହା ଭାଙ୍ଗିବାକୁ ନେଇ ଆଶଙ୍କା କମିଛି ।

ହିମସ୍ଖଳନରେ ଭାସି ଆସିଥିବା ମାଟି ଓ ପଥର ଯୋଗୁଁ ଋଷିଗଙ୍ଗା ନଦୀର ପ୍ରବାହ ବନ୍ଦ ହୋଇଯାଇଛି । ଫଳରେ ଏଠାରେ ଏକ କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି । ଫଳରେ ସେଠାରେ ପାଣି ଜମା ହୋଇ ଏହାର ଆକାର ବଢିବାରେ ଲାଗିଛି । ତେବେ ପାଣି ବଢିବା ସହିତ ମାଟି ବନ୍ଧ ଦୁର୍ବଳ ହେଲେ ଏହା ଯେକୌଣସି ମୁହୁର୍ତରେ ଫାଟି ଯାଇପାରେ । କିନ୍ତୁ ପାଣି ଝରିବା ଆରମ୍ଭ ହୋଇଥିବାରୁ କିଛି ଦିନ ଭିତରେ ପାଣି ସାମାନ୍ୟ ହୋଇଯିବ ବୋଲି ଅନୁମାଦନ କରାଯାଉଛି । ତେବେ ଗତ ରବିବାର ୭ତାରିଖ ଦିନ କେମିତି ବନ୍ୟା ଆସିଥିଲା ସେ ସମ୍ପର୍କରେ ସବିଶେଷ ତଥ୍ୟ ଦେଇଛନ୍ତି ୱାଡିୟଆ ଇନଷ୍ଟିଚ୍ୟୁଟ ଅଫ ହିମାଲୟନ ଜିଓଲୋଜିର ନିର୍ଦ୍ଦେଶକ ।

ଫେବ୍ରୁଆରୀ ୭ତାରିଖରେ ଉତ୍ତରାଖଣ୍ଡ ଚମୋଲୀ ଜିଲ୍ଲାରେ ପ୍ରକୃତର କରାଳ ରୂପ ଦେଖିବାକୁ ମିଳିଥିଲା । ପାହାଡ଼ ଉପରୁ କ୍ଷୀପ୍ର ବେଗରେ ମାଡି ଆସିଥିଲା ଜଳସ୍ରୋତ । ଏହାର ଶିକାର ହୋଇଥିଲା ଋଷିଗଙ୍ଗା ପାୱାର ପ୍ରୋଜେକ୍ଟ । ଆଖି ପିଛୁଳାକେ ପାହାଡ ଉପରୁ ମାଡି ଆସୁଥିବା ହିମସ୍ଖଳନ, ଶକ୍ତିଶାଳୀ କଂକ୍ରିଟ ଓ ଲୁହାରେ ନିର୍ମିତ ବନ୍ଧଙ୍କୁ ବି ଭସେଇ ନେଇଥିଲା । କେବଳ ଏତିକି ନୁହଁ ପାହାଡ ତଳେ ଥିବା ଗାଁ ପୁରା ଭାସି ଯାଇଛି । ଏବେ ଘଟଣାର ୭ଦିନ ପରେ ବି ଶତାଧିକ ଲୋକ ନିଖୋଜ ରହିଥିବା ବେଳେ ଜାରି ରହିଛି ଉଦ୍ଧାର କାର୍ଯ୍ୟ ।