୪ ମାସର ଲଢେଇ ପରେ କୋଭିଡରୁ ସୁସ୍ଥ ହେଲେ ଆର୍ତ୍ତ । ଆତ୍ମବଳ ଆଗରେ ହାର ମାନିଲା ମୃତ୍ୟୁ

209

କନକ ବ୍ୟୁରୋ: ଜୀବନ ଓ ମୃତ୍ୟୁ ଭିତରେ ଚାଲିଥିଲା ସଂଘର୍ଷ । ରୋଗ ଶଯ୍ୟାରେ ମୃତ୍ୟୁର ଦିନ ଗଣୁଥିଲେ ଆର୍ତ୍ତ ସାହୁ । କୋଭିଡରେ ପୀଡିତ ହୋଇ ମୃତ୍ୟୁ ସହ କରୁଥିଲେ ଲଢେଇ । ହେଲେ ଶେଷରେ ମୃତ୍ୟୁକୁ ପରାସ୍ତ କରି ସେ ପାଇଛନ୍ତି ଆଉ ଏକ ଜୀବନ । ୪ ମାସ ପରେ ଡାକ୍ତରଖାନା ଛାଡି ଫେରିଛନ୍ତି ଘରକୁ ।

  • ମୃତ୍ୟୁ ସହ ୪ ମାସର ଲଢ଼େଇ
  • ଆତ୍ମବଳ ଆଗରେ ହାର ମାନିଲା ମୃତ୍ୟୁ

ମୃତ୍ୟୁକୁ ସତେ ଯେମିତି ଆଖି ଆଗରେ ଦେଖିଛନ୍ତି ଆର୍ତ୍ତ ସାହୁ। ହେଲେ ମୃତ୍ୟୁକୁ ହରାଇବା ପରେ ସେ ଏବେ ପାଇଛନ୍ତି ପୁନର୍ଜନ୍ମ । ରୋଗ ଶଯ୍ୟାରୁ ଉଠି ହୁଇଲ୍ ଚେୟାରରେ ବସି ହସ ହସ ଚେହେରାରେ ଫେରିଛନ୍ତି ଘରକୁ । ହେଲେ ଏହା ଭିତରେ କିନ୍ତୁ ସେ ଭୁଲିପାରି ନାହାନ୍ତି ଗତ କେଇ ଦିନର ଘଟଣାକୁ । କୋଭିଡରେ ଆକ୍ରାନ୍ତ ହେଲା ପରେ ଭୁବନେଶ୍ୱର ସମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଆର୍ତ୍ତ ସାହୁ । ସମୟ ବଢିବା ସହ ନଷ୍ଟ ହୋଇଚାଲିଲା ଫୁସଫୁସ । ସୁସ୍ଥ ହୋଇ ଆଉ ଘରକୁ ଫେରିବେ କି ନାହିଁ ସେ ଦ୍ବନ୍ଦରେ ଥିଲେ । କିନ୍ତୁ ଆଉ ଏକ ଜୀବନ ପାଇ ସେ ନିଜ ଆଖିରେ ଦେଖିଛନ୍ତି ଚମତ୍କାର । ଘରକୁ ଫେରିବାର ଖୁସି ତାଙ୍କ ଆଖିରୁ ଝଲସିପଡୁଛି ।

ଆର୍ତ୍ତଙ୍କ ଅବସ୍ଥା ଦେଖି କିଛି ସମୟ ପାଇଁ ଡାକ୍ତରୀ ଦଳ ବି ଭାବି ସାରିଥିଲେ ଯେ ଆର୍ତ୍ତ ମାତ୍ର କେଇ ଦିନର ଅତିଥି । ତଥାପି ହାର ମାନି ନଥିଲେ ଡାକ୍ତରୀ ଦଳ । ଆର୍ତ୍ତଙ୍କ ଚିକିତ୍ସା ପାଇଁ ଲାଗିପଡିଥିଲା ୩ଟି ବିଭାଗ । ଇକମୋ ଚିକିତ୍ସାର ଆବଶ୍ୟକତା ଥିଲେ ବି ତାହା ଥିଲା ଖର୍ଚ୍ଚ ବହୁଳ । କିନ୍ତୁ ଇକମୋ ଚିକିତ୍ସା ଆର୍ତ୍ତଙ୍କ ପାଇଁ ସାତ ସପନ ଥିଲା । ପରିବାରରେ ସେ ହିଁ ଏକମାତ୍ର ରୋଜଗାରିଆ, ଖଟିଲେ ଘରେ ଚୁଲି ଜଳେ । ଡାକ୍ତରୀ ଦଳ ବି ଜାଣିଥିଲେ ଆର୍ତ୍ତଙ୍କ ପାଇଁ ଇକମୋ ଚିକିତ୍ସା କରିବା ସମ୍ଭବପର ନୁହଁ । ନୂଆ ବୈଷୟିକ କୌଶଳ ହେଉ ଅବା ନୂଆ ନୂଆ ଚିକିତ୍ସା ଶୈଳୀ ବ୍ୟବହାର କରି ସେ ନୂଆ ଜୀବନ ପାଇଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । କୋଭିଡ କାଳରେ ମୃତ୍ୟୁ ଖବର ଅନେକଙ୍କ ମନବଳ ଭାଙ୍ଗି ଦେଉଥିବାବେଳେ ଆର୍ତ୍ତ ମୃତ୍ୟୁ ଶଯ୍ୟାରୁ ଫେରିଛନ୍ତି । ଦୃଢ ଆତ୍ମବଳ ପାଇଁ ସେ ହରାଇଦେଇଛନ୍ତି ମୃତ୍ୟୁକୁ ।