ସେନା ପାଇଁ ୪୯୬୦ଟି ଟ୍ୟାଙ୍କ ବିଧ୍ବଂସୀ କ୍ଷେପଣାସ୍ତ୍ର ଖରିଦ କରିବ ଭାରତୀୟ ପ୍ରତିରକ୍ଷା ବିଭାଗ । ଖର୍ଚ୍ଚ କରିବ ୧୧୮୮ କୋଟି ଟଙ୍କା

116

କନକ ବ୍ୟୁରୋ : ଭାରତୀୟ ସେନା ପାଇଁ ପ୍ରାୟ ୪୯୬୦ଟି ମିଲାନ ଟ୍ୟାଙ୍କ ବିଧ୍ବଂସୀ ଗାଇଡେଡ୍ ମିସାଇଲ ଖରିଦ କରାଯିବ । ଏସବୁ ମିସାଇଲଗୁଡ଼ିକର ମୂଲ୍ୟ ପ୍ରାୟ ୧୧୮୮ କୋଟି ଟଙ୍କା ଅଟକଳ କରାଯାଇଛି । ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତ ଡାଇନାମିକ୍ସ ଲିମିଟେଡକୁ ଅର୍ଡର ପ୍ରଦାନ କରିଛି ।

ଏସବୁ ମିସାଇଲ ଗୁଡ଼ିକର ମାରକ ସୀମା ପ୍ରାୟ ୧୮୫୦ ମିଟର ରହିଛି ଓ ଏଗୁଡ଼ିକ ଭୂମିରୁ କିମ୍ବା ସାମରିକ ଯାନରୁ ନିକ୍ଷେପ କରାଯାଇପାରିବ   । ଆସନ୍ତା ୩ ବର୍ଷରେ ଭାରତୀୟ ସେନାରେ ଏସବୁ ମିସାଇଲଗୁଡ଼ିକ ସାମିଲ ହୋଇଯିବ ।

ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନା ଓ ମେକ୍ ଇନ ଇଣ୍ଡିଆ ଯୋଜନା ଅଧିନରେ ଏସବୁ ମିସାଇଲ ଗୁଡ଼ିକ ଭାରତରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତ ଡାଇନାମିକ୍ସ ଲିମିଟେଡ ଦ୍ବାରା ନିର୍ମାଣ କରାଯାଉଛି । ତେବେ ଏସବୁ ମିସାଇଲଗୁଡ଼ିକର ମୂଳ ନିର୍ମାତା ହେଉଛି ଫ୍ରାନ୍ସ କମ୍ପାନି ଏମବିଡିଏ ମିସାଇଲ ସିଷ୍ଟମ୍ସ । ଭାରତରେ ଏହି ମିସାଇଲର ନିର୍ମାଣ ପାଇଁ ଏମବିଡିଏ ଭାରତ ଡାଇନାମିକ୍ସକୁ ଲାଇସେନ୍ସ ପ୍ରଦାନ କରିଛି ।
ଗତ କିଛି ମାସ ହେଲା ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ତିନି ସେନା ପାଇଁ ଅନେକ ପ୍ରକାରର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଖରିଦ ପାଇଁ ଅର୍ଡର ଦେଇଛି । ଚୀନ ଓ ପାକିସ୍ତାନପଟୁ ବିପଦ ବଢୁଥିବାରୁ ତିନିବାହିନୀକୁ ସବୁ ପ୍ରକାରର ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରାଯାଉଛି ।