ଜମ୍ମୁ କାଶ୍ମୀର କୁଲଗାମରେ ସେନାକୁ ବଡ ସଫଳତା । ଏନକାଉଣ୍ଟର କରି ପାକିସ୍ତାନର କୁଖ୍ୟାତ ଆତଙ୍କବାଦୀ ଉସମାନକୁ କଲେ ନିପାତ ।

183

କନକ ବ୍ୟୁରୋ: ଦକ୍ଷିଣ କଶ୍ମୀର କୁଲଗାମ ମାଲପୋରା ଜାତୀୟ ରାଜପଥ ନିକଟରେ ଗୁରୁବାରରୁ ଚାଲିଥିବା ସେନାର ଅପରେସନରେ ପାକିସ୍ତାନର କୁଖ୍ୟାତ ଆତଙ୍କୀ ଉସମାନ ନିପାତ ହୋଇଛି । ଗୁରୁବାର ବିଏସଏଫ ପାଟ୍ରୋଲିଂ ଟିମ ଉପରକୁ କିଛି ଆତଙ୍କବାଦୀ ଗୁଳିମାଡ କରି ଫେରାର ହୋଇଥିଲେ । ତେବେ ଘଟଣାସ୍ଥଳରେ ୩ଜଣ ଆତଙ୍କୀ ଲୁଚି ରହିଥିବା ଆଶଙ୍କା କରି ସେନା କରିଥିଲା ସର୍ଚ୍ଚ ଅପରେସନ ।

ଆର୍ମି, ବିଏସଏଫ ଓ ସ୍ଥାନୀୟ ପୋଲିସ ମିଳିତ ଭାବେ କରିଥିବା ଅପରେସନରେ ଆତଙ୍କୀ ଉସମାନର ଏନକାଉଣ୍ଟର କରିଛି ପୋଲିସ । ଆଗକୁ ସ୍ୱାଧିନତା ଦିବସ ଥିବାରୁ ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଆକ୍ରମଣର ଯୋଜନା କରୁଛି ଜୈଶ-ଇ-ମହମ୍ମଦ ଓ ଲସ୍କର-ଇ-ତୋଇବା । ଆଉ ଆତଙ୍କବାଦୀଙ୍କ ସବୁ ଷଡଯନ୍ତ୍ରକୁ ପଣ୍ଡୁର କରିବା ପାଇଁ ଭାରତୀୟ ସେନା କରୁଛି ଜୋରଦାର ଅପରେସନ୍ ।

ସେପଟେ ରଜୌରୀ ଜିଲ୍ଲାରେ ଥିବା ବିଜେପି ନେତା ଯଶବୀର ସିଂହଙ୍କ ଘର ଉପରେ ଆତଙ୍କବାଦୀ ଆକ୍ରମଣ କରିବାରେ ସଫଳ ହୋଇଛନ୍ତି । ଗୁରୁବାର ଯଶବୀର ସିଂହଙ୍କ ଘର ଉପରକୁ ଗ୍ରେନେଡ୍ ମାଡ କରିଥିଲେ ଆତଙ୍କୀ । ଘଟଣାରେ ୪ବର୍ଷର ଶିଶୁର ମୃତ୍ୟୁ ହୋଇଛି । ଘଟଣାକୁ ନେଇ ରଜୋରୀରେ ତୀବ୍ର ବିରୋଧ କରାଯାଇଛି । ବିଜେପି ସମର୍ଥକମାନେ ଘଟଣାକୁ ନିନ୍ଦା କରିଛନ୍ତି । ଘଟଣା ସ୍ଥଳରେ ସୁରକ୍ଷାକର୍ମୀଙ୍କ ଛାଉଣୀ ରହିଛି । ସ୍ୱାଧୀନତା ଦିବସ ପୂର୍ବରୁ ଆତଙ୍କବାଦୀମାନେ ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ସେନା ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଉଛି ।