ମନେ ପଡନ୍ତି ସାମ୍ବାଦିକ ଅରିନ୍ଦମ ଦାସ: ପ୍ରଥମ ଶ୍ରାଦ୍ଧବାର୍ଷିକୀରେ କେନ୍ଦୁଝର ଜନ୍ମମାଟିରେ ଉନ୍ମୋଚିତ ହେଲା ପ୍ରତିମୂର୍ତି

183

କନକ ବ୍ୟୁରୋ: ଠିକ ବର୍ଷକ ତଳେ ଖବର କରିବାକୁ ଯାଇ ଖବରର ଶିରୋନାମା ପାଲଟିଯାଇଥିଲେ ଯୁବ ସାମ୍ବାଦିକ ଅରିନ୍ଦମ ଦାସ । ମୁଣ୍ଡୁଳି ବ୍ୟାରେଜରେ ଫସିରହିଥିବା ହାତୀ ଉଦ୍ଧାର ଖବର ସଂଗ୍ରହ କରିବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇଦେଇଥିଲେ ଓଟିଭିର ଏହି ସାମ୍ବାଦିକ । ଏକ ବୋଟରେ କ୍ୟାମେରାମ୍ୟାନକୁ ଧରି ଖବର ସଂଗ୍ରହ ପାଇଁ ମଝି ନଈକୁ ଯାଇଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ପ୍ରଖର ସୁଅରେ ବୋଟଟି ଭାସିଯାଇଥିଲା । ଏଥିରେ ଥିବା ଅରିନ୍ଦମ ଦାସଙ୍କ ସହ ଅନ୍ୟମାନେ ବୁଡିଯାଇଥିଲେ । ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଥିବାବେଲେ ଅରିନ୍ଦମଙ୍କ ହୋଇଥିଲା ସଲିଳ ସମାଧି । ଆଉ ଜଣେ ଯୁବ, ନିର୍ଭୀକ ଓ ଦୁଃସାହସିକ ସାମ୍ବାଦିକଙ୍କ ଅକାଳ ବିୟୋଗରେ ସାରା ରାଜ୍ୟ ସ୍ତବ୍ଧ ହୋଇଯାଇଥିଲା ।

ମାତ୍ର ୩୯ ବର୍ଷ ବୟସରେ ଅରିନ୍ଦମ ଦାସଙ୍କ ଆକସ୍ମିକ ମୃତ୍ୟୁ ଓଡିଆ ସାମ୍ବାଦିକ ଜଗତ ପାଇଁ ଅପୂରଣୀୟ କ୍ଷତି ଥିଲା । ରିପୋର୍ଟିଂରେ ସେ ସବୁବେଳେ କିଛି ଅଲଗା କରିବାକୁ ଉଦ୍ୟମ କରୁଥିଲେ । ବିଶେଷକରି ୨୦୦୮ ନୟାଗଡ ମାଓବାଦୀ ଆକ୍ରମଣ ଓ ୨୦୧୩ରେ ଫାଇଲିନି ବାତ୍ୟା ଖବର ସଂଗ୍ରହ ସମୟରେ ଅରିନ୍ଦମଙ୍କ ରିପୋର୍ଟିଂକୁ ସମସ୍ତେ ପ୍ରଂଶସା କରିଥିଲେ ।

ତିଥି ଅନୁସାରେ ଅରିନ୍ଦମଙ୍କ ମୃତ୍ୟୁକୁ ଆଜି ପୂରିଛି ଏକବର୍ଷ । ଆଉ ଆଜି ତାଙ୍କୁ ସାମ୍ବାଦିକ ମହଲ ସହ ମନେପକାଇଛି ସାରା ରାଜ୍ୟ । ଅରିନ୍ଦମଙ୍କ ନିଜ ଗାଁ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ରାଇକଳାରେ ପାଳିତ ହୋଇଛି ପ୍ରଥମ ଶ୍ରାଦ୍ଧବାର୍ଷିକୀ । ଆଉ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ତାଙ୍କର ଏକ ପ୍ରତିମୂର୍ତ୍ତିର ଉନ୍ମୋଚିତ ହୋଇଛି । ଏଥିରେ ଓଟିଭିର ଏମଡି ଜଗି ମଙ୍ଗତ ପଣ୍ଡା ଓ ଅନ୍ୟ ପ୍ରମୁଖ ବ୍ୟକ୍ତି ଯୋଗଦେଇ ଶ୍ରଦ୍ଧାଂଜଳି ଦେଇଥିଲେ । ଶ୍ରଦ୍ଧାଂଜଳି ସଭାରେ ଅରିନ୍ଦମ ଦାସଙ୍କ ମା କୁନି ଦାସ. ତାଙ୍କ ପତ୍ନୀ ଓ ପରିବାରର ଅନ୍ୟ ସଦସ୍ୟ ବି ଉପସ୍ଥିତ ଥିଲେ । ଜଣେ ନିର୍ଭୀକ ଓ ସାହସିକ ସାମ୍ବାଦିକଙ୍କୁ ମନେପକାଇ ଅତିଥିମାନେ ଶ୍ରଦ୍ଧାଞ୍ଜଳି ବି ଦେଇଥିଲେ ।

ଜୀବନଠାରୁ ନିଜ ପେଶାକୁ ସବୁବେଳେ ପ୍ରାଥମିକତା ଦେଇଆସିଥିଲେ ଅରିନ୍ଦମ । ଯଦିଓ ସେ ଆଉ ଆମ ଗହଣରେ ନାହାନ୍ତି, ମାତ୍ର ତାଙ୍କର ରିପୋର୍ଟିଂ ଶୈଳୀ, କହିବାର ଦକ୍ଷତା ଓ ଦର୍ଶକଙ୍କୁ ବାନ୍ଧିରଖିବାର କଳା ନିଆରା ଥିଲା । ଯେଉଁଥିପାଇଁ ସେ ସାମ୍ବାଦିକ ମହଲରେ ସ୍ମରଣୀୟ ହୋଇ ରହିବେ ।