କନକ ବ୍ୟୁରୋ: ହନିଟ୍ରାପ ଓ ବ୍ଲାକ୍ମେଲିଂକୁ ନେଇ ଯେତେବେଳେ ସାରା ଓଡ଼ିଶାରେ ହଲଚଲ ସୃଷ୍ଟି ହୋଇଛି, ସେତିକିବେଳେ ରାଣୀ ମହୁମାଛି ଅର୍ଚ୍ଚନା ନାଗଙ୍କ ସହ ଗୋଟିଏ ଫ୍ରେମରେ ରାଜନେତାଙ୍କୁ ଦେଖିବାକୁ ମିଳିଛି । ଯାହା ଦର୍ଶାଉଛି, ଅଳ୍ପ କିଛି ବର୍ଷ ଭିତରେ କେତେ ପ୍ରଭାବ ବିସ୍ତାର କରିଥିଲେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ।
ଅର୍ଚ୍ଚନାଙ୍କ ସହ ବରିଷ୍ଠ ନେତା ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ଫଟୋ । ହନିଟ୍ରାପ୍ରେ ଫସାଇ ପ୍ରଭାବଶାଳୀଙ୍କ ଠାରୁ କୋଟି କୋଟି ହାତେଇଥିବା ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସହ କେଉଁ ପରିସ୍ଥିତିରେ ସୁନ୍ଦରଗଡ଼ ସାଂସଦ ଫଟୋ ଉଠାଇଥିଲେ, ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ତେବେ ଜୁଏଲ କହିଛନ୍ତି, ରାଜନୀତିରେ ଥିବାରୁ ଅନେକ ଲୋକ ତାଙ୍କ ସହ ଫଟୋ ଉଠାନ୍ତି । ଏହି ଫଟୋକୁ ଭାଇରାଲ କରି ତାଙ୍କୁ ନିନ୍ଦିତ କରିବାକୁ ଉଦ୍ୟମ କରାଯାଉଛି ।
ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କ ଏହି ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । କୁହାଯାଉଛି, ସତ୍ୟବିହାର ସ୍ଥିତ ଅର୍ଚ୍ଚନାଙ୍କ ଘରକୁ ଉଦ୍ଘାଟନ କରିବା ପାଇଁ ସୂର୍ଯ୍ୟନାରାୟଣ ପାତ୍ର ଯାଇଥିଲେ । ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ, ତାଙ୍କୁ ଭବ୍ୟ ସ୍ୱାଗତ କରିବା ସହ ରାଜକୀୟ ଚର୍ଚ୍ଚା କରିଥିବା ଆଲୋଚନା ହେଉଛି । ବରିଷ୍ଠ ରାଜନେତାଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତି ଘର ପ୍ରତିଷ୍ଠାରେ ଯୋଗଦେଇଥିବା ଦେଖି ସ୍ଥାନୀୟ ଲୋକେ ସେଦିନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଏ ନେଇ ସୂର୍ଯ୍ୟ ପାତ୍ରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ବଡବଡିଆଙ୍କୁ ଟାର୍ଗେଟ କରି ଟଙ୍କା ବ୍ଲାକମେଲିଂ କରି କୋଟି କୋଟି ଉପାର୍ଜନ କରୁଥିବା ଅର୍ଚ୍ଚନାଙ୍କର ଆଉ ଜଣେ ନେତାଙ୍କ ସହ ଲିଙ୍କ୍ ସାମ୍ନାକୁ ଆସିଛି । ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେଶିକାଙ୍କ ସହିତ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଫଟୋ ଭାଇାରାଲ ହେବାରେ ଲାଗିଛି । ଏନେଇ କନକ ନ୍ୟୁଜକୁ ପ୍ରତିକ୍ରିୟା ରଖି କୈଳାସ କୁଲେଶିକା କହିଛନ୍ତି, ବିଧାୟକ ଥିବା ସମୟରେ ଜମିଜମା ମାମଲାକୁ ନେଇ ସେମାନଙ୍କ ସହିତ ଭେଟ ହୋଇଥିଲା ।
କେବଳ ଏତିକି ନୁହେଁ, ଅର୍ଚ୍ଚନାଙ୍କ ସହ ଅନେକ ରାଜନେତା, ବଡ଼ ଅଧିକାରୀ, ପ୍ରଭାବଶାଳୀଙ୍କର ଘନିଷ୍ଠ ସଂପର୍କ ଥିଲା, ଯାହାର ଗୁମର ଧିରେ ଧିରେ ଖୋଲିବାରେ ଲାଗୁଛି । କୁହାଯାଉଛି, ଅର୍ଚ୍ଚନାଙ୍କ କନେକ୍ସନ୍ ବାବଦରେ ଯେତିକି କଥା ସାମନାକୁ ଆସୁଛି, ତା’ଠାରୁ ଆହୁରି ଅନେକ କଥା ପରଦା ଆଡୁଆଳରେ ରହିଛି । ଅର୍ଚ୍ଚନାଙ୍କ ସହ କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟଙ୍କ ପୁଅର ଫଟୋ ମଧ୍ୟ ରହିଛି । ଏହି ମାମଲାର ତଦନ୍ତ ଆଗକୁ ବଢ଼ିଲେ ଆହୁରି ବଡ଼ ଚେହେରା ସାମ୍ନାକୁ ଆସିବ ବୋଲି ଚର୍ଚ୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/37-2.jpg)