ହାପି ବାର୍ଥ ଡେ ଭୁବନେଶ୍ୱର । ରାଜଧାନୀକୁ ପୁରିଲା ୭୦ ବର୍ଷ । ପୁରୁଣା ପରିଚୟକୁ ସାଥୀ କରି ଆପଣାଇଛି ଆଧୁନିକତା, ମନ୍ଦିରମାଳିନୀ ସହର ପାଇଛି ସ୍ମାର୍ଟସିଟିର ମାନ୍ୟତା

178

କନକ ବ୍ୟୁରୋ: ହାପି ବାର୍ଥ ଡେ ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱର ୭୦ ବର୍ଷରେ ପାଦ ଦେଇଛି । ଭୁବନେଶ୍ୱରକୁ ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଓଡ଼ିଶାର ରାଜଧାନୀ ମାନ୍ୟତା ମିଳିଥିଲା । ଦୀର୍ଘ ୧୫ ବର୍ଷର ପ୍ରଶାସନିକ କସରତ ପରେ ଭୁବନେଶ୍ୱରକୁ ମିଳିଥିଲା ଓଡ଼ିଶାର ରାଜଧାନୀର ମାନ୍ୟତା । ଭୁବନେଶ୍ୱରକୁ ରାଜଧାନୀ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ସେତେବେଳର ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ । ଆଉ ଏହାର ଭିତିପ୍ରସ୍ଥର ସ୍ଥାପନ କରିଥିଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ । ଭୁବନେଶ୍ୱର ସହରର ଡିଜାଇନ୍ ପ୍ରସ୍ତୁତ କରିଥିଲେ ଜର୍ମାନୀ ଆର୍କିଟେକ୍ ଓଟୋ କୋନିଗସବର୍ଗ । ତେବେ ୭୦ ବର୍ଷ ଭିତରେ ସହରର ରୂପରେଖ ବଦଳିଛି । ସ୍ମାର୍ଟ ସିଟି ଭାବେ ସାରା ଦେଶରେ ନିଜର ଏକ ପରିଚୟ ସୃଷ୍ଟି କରିଛି ଭୁବନେଶ୍ୱର ।

ରାଜଧାନୀ ଭୁବନେଶ୍ୱରକୁ ୭୦ବର୍ଷ ଛୁଇଁଛି । କିନ୍ତୁ ଯୌବନର ସ୍ପର୍ଶ ଲାଗିବା ଏବେ ଆରମ୍ଭ ହୋଇଛି। ଐତିହ୍ୟ ନଗରୀ, ମନ୍ଦିରମାଳିନୀ ପରିଚୟ ନେଇ ବଞ୍ଚିଥିବା ଭୁବନେଶ୍ୱର ଇତିମଧ୍ୟରେ ସ୍ମାର୍ଟ ସିଟି ହୋଇଯାଇଛି। ନିଜର ପୁରୁଣା ପରିଚୟକୁ ସାଥୀ କରି ଆଧୁନିକତାକୁ ଆପଣାଇଛି। ଭୁବନେଶ୍ୱରକୁ ରାଜଧାନୀ ମାନ୍ୟତା ଦେବା ପାଇଁ ଜର୍ମାନ ଆର୍କିଟେକ୍ଟ ଓଟୋ କୋନିଗ୍ସବର୍ଗର ପ୍ରସ୍ତୁତ କରିଥିବା ନକ୍ସା ଏବେକାର ସ୍ମାର୍ଟ ସିଟି ଡିଜାଇନରେ ପୂରା ବଦଳିଯାଇଛି । ରାଜଧାନୀବାସୀଙ୍କୁ ପୁଳା ପୁଳା ସ୍ୱପ୍ନ ଦେଖାଯାଇଛି । ୭୦ବର୍ଷରେ ରାଜଧାନୀ ଯେତିକି ସ୍ୱପ୍ନ ଦେଖୁଛି ତାହା ବାସ୍ତବ ରୂପ ନେଲେ ଆଧୁନିକ ସହରର ସଂଜ୍ଞା ପାଲଟିଥିବା ଇଟାଲି, ସାନଫ୍ରାନସିସ୍କୋ, କାଲିଫର୍ଣ୍ଣିଆ, ବୋଗାଟା, କୁପରଟିନୋ ଭଳି ସହରକୁ ପଛରେ ପକାଇଦେବ । ରାସ୍ତାଘାଟରୁ ଆରମ୍ଭ କରି ଗମନାଗମନ ବ୍ୟବସ୍ଥା, ସ୍ୱାସ୍ଥ୍ୟରୁ ଆରମ୍ଭ କରି ଶିକ୍ଷା ବ୍ୟବସ୍ଥା, ଜୀବନଶୈଳୀରୁ ଆରମ୍ଭ କରି କ୍ରୀଡ଼ା ଭିତ୍ତିଭୂମିରେ ବ୍ୟାପକ ପରିବର୍ତନ ଆଣିବାକୁ ଯୋଜନା ହୋଇଛି। ଏହାବାଦ୍ ଭୁବନେଶ୍ୱରକୁ ପୂର୍ବ ଭାରତରର ଶିକ୍ଷା, କ୍ରୀଡ଼ା, ଆଇଟି, ଐତିହ୍ୟ ଏବଂ ପୁଞ୍ଜିନିବେଶର ହବ୍ରେ ପରିଣତ କରାଯିବ। ଭୁବନେଶ୍ୱରକୁ ବିଶ୍ୱର ଏକ ସ୍ୱତନ୍ତ୍ର ସହର ଭାବେ ଗଢ଼ି ତୋଳିବାକୁ ଦେଖାଯାଉଥିବା ସ୍ୱପ୍ନର ମୂଳଦୁଆ ପଡ଼ିଯାଇଛି । ଅପେକ୍ଷା ବାସ୍ତବ ରୂପକୁ ।

ବାପୁଜୀନଗରରେ ଗୋଟିଏ ଛାତ ତଳେ ଜନସୁବିଧା

ଅଶୋକନଗର, ବାପୁଜୀ ନଗର, ଖାରବେଳନଗର ପ୍ରଭୃତି ଅଞ୍ଚଳର ଲୋକଙ୍କୁ ଯେପରି ସୁବିଧାରେ ସରକାରଙ୍କ ବିଭିନ୍ନ ସେବା ଉପଲବ୍ଧ ହେବ ସେଥିପାଇଁ ନିର୍ମାଣ ହେବ ଇଣ୍ଟିଗ୍ରେଟେଡ୍ ପବ୍ଲିକ ସର୍ଭିସ୍ ସେଣ୍ଟର-୨। ଏଠାରେ ସ୍ୱାସ୍ଥ୍ୟ ସେବାରୁ ଆରମ୍ଭ କରି ପାର୍କ, ଅନଲାଇନ୍ରେ ବିଭିନ୍ନ ବିଲ୍ ପ୍ରଦାନ ବ୍ୟବସ୍ଥା, ପାଠାଗାର ଆଦି ସୁବିଧା ଉପଲବ୍ଧ ହେବ। ଏଥିପାଇଁ ଡିଜାଇନ୍ ପ୍ରସ୍ତୁତ ହୋଇ ସାରିଥିବାବେଳେ ଏବେ ଜମି ଖୋଜା ଚାଲିଛି। ଜମି ମିଳିଲେ ଏନେଇ ଟେଣ୍ଡର୍ ପ୍ରକ୍ରିୟା ହେବ।

ମାଳି ସାହିରେ ନିର୍ମାଣ ଶ୍ରମିକଙ୍କ ପାଇଁ ଭଡ଼ା ଘର

ୟୁନିଟ-୩ସ୍ଥିତ ମାଳିସାହିରେ ନିର୍ମାଣ ଶ୍ରମିକଙ୍କୁ ଭଡ଼ା ଘର ଯୋଗାଇବା ଏବଂ ସମସ୍ତ ଆନୁଷଙ୍ଗିକ ସୁବିଧା ଯୋଗାଇବା ପାଇଁ ସୋସିଆଲ ଇକ୍ୟୁଟି ସେଣ୍ଟର ନିର୍ମାଣ କରାଯାଉଛି। ଏଠାରେ ଦୈନିକ ୫୦ଟଙ୍କା ହିସାବରେ ଘର ଭଡ଼ା ଏବଂ ୫ଟଙ୍କାରେ ଖାଦ୍ୟ, ବିଶୁଦ୍ଧ ପାଣି ଯୋଗାଇବା ପାଇଁ ବ୍ୟବସ୍ଥା ହୋଇଛି। ଗତବର୍ଷ ଡିସେମ୍ବର ୨୭ରେ ଏହି ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇଥିବାବେଳେ ଏହା ଆସନ୍ତା ଡିସେମ୍ବର ୨୬ରେ ଶେଷ ହେବ। ଏଥିପାଇଁ ୫.୪କୋଟି ଖର୍ଚ୍ଚ ହେବ।

ଜନପଥରେ ବିଏମ୍ସି ମୁଖ୍ୟାଳୟ

ସତ୍ୟନଗର ଶ୍ମଶାନ ସମ୍ମୁଖରେ ୟୁନିଟ-୯ରେ ବିଏମ୍ସିର ମୁଖ୍ୟ କାର୍ଯ୍ୟାଳୟ ହେବ। ୧୨ମହଲା ବିଶିଷ୍ଟ ହେବାକୁ ଥିବା ଏହି ବିଲଡିଂକୁ ମନ୍ଦିର ଏବଂ ଆଧୁନିକ ଡିଜାଇନ୍ର ଛାପ ଦିଆଯିବ। ଏଠାରେ ୪.ଏକର ଜମିରେ ବିଏମ୍ସି ଓ ସ୍ମାର୍ଟ ସିଟି ଭୁବନେଶ୍ୱରର ସମସ୍ତ ମୁଖ୍ୟ କାର୍ଯ୍ୟାଳୟ ରହିବ। ଏହି ପ୍ରକଳ୍ପ ଅଢ଼େଇ ବର୍ଷରେ ଶେଷ ହେବ। ଏଥିପାଇଁ ୫୭.୩୯କୋଟି ଖର୍ଚ୍ଚ ହେବାକୁ ଥିବାବେଳେ ସରକାରୀ କ୍ୱାର୍ଟର୍ସ ଉଚ୍ଛେଦ ହେବା ପରେ ଏହାର ଶିଳାନ୍ୟାସ ହେବ। ୨.୫ଏକର ଜମିରେ ଏହି ବିଲ୍ଡିଂ ନିର୍ମାଣ ହେବ। ବେସ୍ମେଣ୍ଟ ସହ ୧୨ମହଲା ବିଶିଷ୍ଟ ହେବ। ପ୍ରାୟ ୨ଲକ୍ଷ ବର୍ଗଫୁଟ ଅଞ୍ଚଳରେ ବିଲଡିଂ ନିର୍ମାଣ ହେବ। ବେସ୍ମେଣ୍ଟରେ ପାର୍କିଂ ସହ ଖୋଲା ସ୍ଥାନ ପାର୍କିଂ ପାଇଁ ଛଡ଼ାଯିବ। ଏଠାରେ ଲୋକଙ୍କ ଧାରଣା ପାଇଁ ବି ସ୍ଥାନ ରହିବ। ପ୍ରଥମ ଦୁଇ ମହଲା ସମେତ ପଞ୍ଚମ ଓ ଷଷ୍ଠ ମହଲାରେ ବିଏମ୍ସି କାର୍ଯ୍ୟାଳୟ, ତୃତୀୟ ଓ ଚତୁର୍ଥ ମହଲାରେ ସ୍ମାର୍ଟ ସିଟି ଭୁବନେଶ୍ୱରର ଇଣ୍ଟିଗ୍ରେଟେଡ୍ ସିଟି ଅପରେସନ୍ସ ଆଣ୍ଡ ମ୍ୟାନେଜମେଣ୍ଟ ସେଣ୍ଟର (ଆଇସିଓଏମ୍ସି) ହେବ। ଏଠାରେ ଦୁଇ ମହଲା ଉଚ୍ଚର ଏକ ପରଦା ଲାଗିବ। ଯେଉଁଥିରେ ସାରା ରାଜଧାନୀ ଉପରେ ନଜର ରଖାଯିବ। ଏଠାରେ ୨୪ଘଣ୍ଟା ପୁଲିସ, ଅଗ୍ନିଶମ, ଟ୍ରାଫିକ, ଓସଡମା ଭଳି ଜରୁରୀକାଳୀନ ସେବା ଯୋଗାଉଥିବା ସଂସ୍ଥାର ଅଧିକାରୀମାନେ ବି ରହିବେ।

ରାଜମହଲରେ ୪୫୨କାର୍ ପାର୍କିଂ ବ୍ୟବସ୍ଥା

ଏଠାରେ ଏକ ଏକର ଜମିରେ ହେବ ବହୁତଳ କାର୍ ପାର୍କିଂ ପ୍ରକଳ୍ପ ନିର୍ମାଣ ହେଉଛି। ୭ମହଲା ବିଶିଷ୍ଟ ଏହି ପ୍ରକଳ୍ପର ବେସମେଣ୍ଟରେ ଦୁଇ ମହଲା ଏବଂ ଉପରକୁ ୬ମହଲା ରହିବ। ଏଠାରେ ୪୫୨ଟି କାର୍ ପାର୍କିଂ ବ୍ୟବସ୍ଥା ରହିବ। ମୋଟ୍ ୦.୯୭୨ଏକର ତଥା ୧,୪୩,୭୧୮ ବର୍ଗଫୁଟ ଅଞ୍ଚଳରେ ହେବାକୁ ଥିବା ଏହି ବହୁତଳ ପାର୍କିଂ ପାଇଁ ୪୩.୮୫ କୋଟି ଖର୍ଚ୍ଚ ଅଟକଳ ହୋଇଛି। ଦେଢ଼ ବର୍ଷ ମଧ୍ୟରେ ଅର୍ଥାତ୍ ଜୁନ୍ ୨୬, ୨୦୧୯ରେ ଏହି ପ୍ରକଳ୍ପ ଚୂଡ଼ାନ୍ତ ରୂପ ପାଇବ।

ପାଶ୍ଚାତ୍ୟ ସହରର ଅନୁଭୂତି ଦେବ ସ୍ମାର୍ଟ ଜନପଥ

ସ୍ୱାର୍ଟ ସିଟି ଭୁବନେଶ୍ୱରରେ ସବୁଠୁ ବିକଶିତ ଅଞ୍ଚଳ ହେବ ଭୁବନେଶ୍ୱର ଟାଉନ ସେଣ୍ଟର ଡିଷ୍ଟ୍ରିକ୍ଟ ଅଞ୍ଚଳ (ଶିଶୁଭବନ ଛକରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାର ଡାହାଣ ପାର୍ଶ୍ୱ ଅଞ୍ଚଳ)। ଏହି ୯୮୫ ଏକର ଜମିରେ ସ୍ମାର୍ଟ ସିଟିର ପ୍ରକୃତ ରୂପ ଦେଖିବାକୁ ମିଳିବ। ଏହାର ପ୍ରମୁଖ ପ୍ରକଳ୍ପ ହେବ ସ୍ମାର୍ଟ ଜନପଥ। ୨୭୬.୩୫କୋଟିରେ ଜନପଥକୁ ସ୍ମାର୍ଟ ରୂପ ଦେବାକୁ ଯୋଜନା ହୋଇଥିବାବେଳେ ଏଥିରେ ଲୋକଙ୍କୁ ସହଜରେ, ସୁବିଧାରେ ଓ ସୁରକ୍ଷିତ ଭାବେ ଯାତାୟାତ କରିବାର ଅନୁଭୂତି ମିଳିବ। ଶିଶୁ ଭବନରୁ ବାଣୀ ବିହାର ପର୍ୟ୍ୟନ୍ତ ରାସ୍ତାର ରୂପ ବଦଳିଯିବ। ସ୍ମାର୍ଟ ସିଟିର ଏହି ରାସ୍ତାକୁ ସ୍ମାର୍ଟ ରୋଡ୍ କୁହାଯିବ। ୟୁରୋପୀୟ ଦେଶଗୁଡ଼ିକ ଭଳି ଏହି ରାସ୍ତାର ଡିଜାଇନ୍ ହେବ। ପ୍ରଶସ୍ତ ଓ ଚକାଚକ୍ ରାସ୍ତା, ଆଧୁନିକ ଟ୍ରାଫିକ ସିଗନାଲ୍, ଦୁର୍ଘଟଣା ମୁକ୍ତ ଅଞ୍ଚଳ, ଜବରଦଖଲମୁକ୍ତ, ପଥଚାରୀଙ୍କ ପାଇଁ ଫୁଟପାଥ୍, ୯ଇଞ୍ଚର ଫୁଟପାଥ୍, ସ୍ୱତନ୍ତ୍ର ସାଇକେଲ୍ ଟ୍ରାକ୍ ଆଦି ରହିବ। ଗୋଟିଏ ସ୍ଥାନରେ ସୁ-ଉଚ୍ଚ ବିଲଡିଂରେ ବ୍ୟବସାୟିକ ପ୍ରତିଷ୍ଠାନ ଓ ଆବାସିକ ପ୍ରକଳ୍ପ ରହିବ। ଏହି ରାସ୍ତାରେ ଗାଡ଼ି ଚଳାଚଳରେ ଯେପରି କୌଣସି ପ୍ରକାରର ଅସୁବିଧା ନ ହେବ ସେଥିପାଇଁ ପ୍ରତି ୨୦୦ରୁ ୫୦୦ମିଟରରେ ପାର୍କିଂ ପାଇଁ ଜାଗା ରହିବ। ପାର୍କିଂ ଅଞ୍ଚଳ ବାଦ୍ ବାହାରେ ଯଦି କିଏ ଗାଡ଼ି ରଖିବେ ତେବେ ଗାଡ଼ି ଜବତ କରି ଜରିମାନା ଆଦାୟ କରାଯିବ। ଏହିଭଳି ଭାବେ ଜନପଥକୁ ସ୍ମାର୍ଟ ରୋଡରେ ପରିଣତ କରିବାକୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ କର୍ତୃପକ୍ଷ ଯୋଜନା କରିଛନ୍ତି। ଅକ୍ଟୋବର ୪, ୨୦୧୭ରୁ ଏହାର କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଦୁଇ ବର୍ଷରେ ଏହାକୁ ଚୂଡ଼ାନ୍ତ ରୂପ ଦେବାକୁ ନିଷ୍ପତ୍ତି ହୋଇଛି। କେବଳ ରାସ୍ତା ନିର୍ମାଣ ପାଇଁ ୮୦.୪୭କୋଟି ଖର୍ଚ୍ଚ ହେବ।