କନକ ବ୍ୟୁରୋ: ପ୍ରଥମେ ପ୍ରେସମିଟ୍ କରି ବର୍ଷିଥିଲେ, ଏବେ ଆକ୍ସନକୁ ଆସିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ପ୍ରଭାବଶାଳୀ ମହିଳା କିରୁଥିକା ପ୍ରଭାକରନଙ୍କୁ ସିଧାସଳଖ ଚ୍ୟାଲେଞ୍ଜ ଦେଇ ଆଜି ଅପରାଜିତା, ୨ବର୍ଷ ଧରି ଅବରୋଧ କରି ରଖିଥିବା କେନାଲର କିଛି ଅଂଶକୁ ନିଜେ ଖୋଳି ଦେଇଛନ୍ତି । ଏଥିସହ ଜବରଦଖଲ ଓ ଚାଷୀଙ୍କ ସମସ୍ୟା ନେଇ ଗ୍ରାମବାସୀ ଓ ବିଭାଗୀୟ ଅଧିକାରୀଙ୍କ ସହ ସେ ଆଲୋଚନା କରିଛନ୍ତି । ଏବଂ ୩ ଦିନ ଭିତରେ ପ୍ରଶାସନ ଅବରୋଧ କେନାଲକୁ ନଖୋଳିଲେ ଗ୍ରାମବାସୀମାନେ ଖୋଳି ଦେବେ ଚେତାବନୀ ଦେଇଛନ୍ତିି ।

Advertisment

ହାତରେ କୋଦାଳ ଧରି ନିଜେ ମାଟି ତାଡିଲେ ଭୁବନେଶ୍ୱର ସାଂସଦ । ୨ ବର୍ଷ ଧରି ଅବରୋଧ ଥିବା କେନାଲକୁ ଖୋଳିଲେ ଅପରାଜିତା ଷଡଙ୍ଗୀ । ୟେ ହେଉଛି ଭୁବନେଶ୍ୱର ଉପକଣ୍ଠ ଡେରାସ ଡ୍ୟାମ ପାଖରେ ଥିବା ଗିରିଙ୍ଗାପୁଟ ଗାଁର ଘଟଣା । ଜମି ଜବରଦଖଲ କରିବା ସହ କେନାଲ ଅବରୋଧ କରିଥିିବା ନେଇ ବ୍ୟବସାୟୀ କିରୁଥିକା ପ୍ରଭାକରନଙ୍କ ବିରୋଧରେ ଅଭିଯୋଗ କରିଥିଲେ ଗାଁ ଲୋକ । କିଛି ଦିନ ତଳେ ଏ ନେଇ ପ୍ରେସମିଟ୍ କରି ବର୍ଷିଥିଲେ ଅପରାଜିତା । ପ୍ରଶାସନ କିଛି ପଦକ୍ଷେପ ନ ନେବା ପରେ ଆଜି ଆକ୍ସନ ମୋଡରେ ସାଂସଦଙ୍କୁ ଦେଖିବାକୁ ମିଳିଛି । ଗାଁ ଲୋକଙ୍କୁ ସାଙ୍ଗରେ ନେଇ ଅବରୋଧ କେନାଲ ଖୋଳିବା ସହ ସେହି ସ୍ଥାନରୁ କିରୁଥିକା ପ୍ରଭାକରନଙ୍କୁ ସିଧାସଳଖ ଚ୍ୟାଲେଞ୍ଜ ଦେଇଛନ୍ତି ଅପରାଜିତା ଷଡ଼ଙ୍ଗୀ ।

ଚାରିଆଡେ ଚାଷ ଜମି, ଆଉ ମଝିରେ ଯାଇଛି ଏହି ଛୋଟ କେନାଲ । କିନ୍ତୁ ଅଧାରୁ ଏହାକୁ ଅବରୋଧ କରାଯାଇଛି । ଗାଁ ଲୋକଙ୍କ କହିବା କଥା, ଡେରାସ ଡ୍ୟାମର କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଏହି କେନାଲ, ୩ଶହ ଏକର ଚାଷ ଜମିରେ ପାଣି ଯୋଗାଉଥିଲା । କିନ୍ତୁ ୨ ବର୍ଷ ହେଲା କେନାଲ ଅବରୋଧ କରାଯାଇଥିବାରୁ ଜମିକୁ ପାଣି ଯାଉନି । ଫଳରେ ଚାଷକାମ ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ କରିଛନ୍ତିି ଗିରିଙ୍ଗାପୁଟ ଗାଁ ଲୋକ । ଏପଟେ ଜବରଦଖଲ ଓ ଚାଷୀଙ୍କ ସମସ୍ୟା ନେଇ ଗ୍ରାମବାସୀ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଭୁବନେଶ୍ୱର ସାଂସଦ । ୩ ଦିନ ଭିତରେ ପ୍ରଶାସନ ଅବରୋଧ କେନାଲକୁ ନଖୋଳିଲେ ଗ୍ରାମବାସୀମାନେ ଖୋଳି ଦେବେ ବୋଲି ଚେତାଇ ଦେଇଛନ୍ତି ଅପରାଜିତା ।

ରାଜଧାନୀ ଠାରୁ କିଛି ଦୂରରେ ଏକର ଏକର ମୂଲ୍ୟବାନ ଜମି ମାଡ଼ି ବସିବାକୁ ମସୁଧା ଚାଲିଥିବା ବେଳେ ଚୁପ ହୋଇ ବସିଛି ରାଜସ୍ୱ ବିଭାଗ । କେନାଲ ଅବରୋଧ ହୋଇଥିଲେ ବି ମୁହଁ ଖୋଲୁନାହାନ୍ତି ଅଧିକାରୀ । ଏପଟେ ଅପରାଜିତା ଅଭିଯୋଗ କରିଛନ୍ତି, ତୃତୀୟ ମହଲାର ନିର୍ଦେଶ ଥିବାରୁ ଏହି ବେଆଇନ କାମକୁ ରୋକିବାକୁ କେହି ସାହସ କରୁନାହାନ୍ତି । ଚାଷ ଜମିକୁ ପାଣି ନଯିବା ଯାଏଁ ଲଢେଇ ଜାରି ରହିବ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ।