ବାଇ ଲ’ ବିବାଦକୁ ନେଇ ଅଶୋକ ବନାମ ଅପରାଜିତା । ସାଂସଦଙ୍କୁ ୪ଟି ପ୍ରଶ୍ନ ପଚାରିଲେ ମନ୍ତ୍ରୀ ଅଶୋକ ପଣ୍ଡା । ଅପରାଜିତାଙ୍କ ଜବାବ, ପ୍ରଥମେ ପ୍ରଶ୍ନର ଉତ୍ତର ରଖନ୍ତୁ ମନ୍ତ୍ରୀ ।

115

କନକ ବ୍ୟୁରୋ: ପୁଣି ତେଜିଲା ଏକାମ୍ର କ୍ଷେତ୍ର ବାଇ-ଲ ପ୍ରସଙ୍ଗ । ଏହି ପ୍ରସଙ୍ଗରେ ପୁଣି ଭୁବନେଶ୍ୱର ସାଂସଦଙ୍କୁ ଘେରିଲେ ମନ୍ତ୍ରୀ ଅଶୋକ ପଣ୍ଡା । ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ୪ଟି ପ୍ରଶ୍ନ ପଚାରିଛନ୍ତି ଅଶୋକ ପଣ୍ଡା । ମନ୍ତ୍ରୀ କହିଛନ୍ତି ସଂସଦରେ ଏହି ପ୍ରସଙ୍ଗ ସାଂସଦ ଉଠାଇ ପାରିଥାନ୍ତେ । ସଂସଦ ଠାରୁ ବଡ ଫୋରମ ଆଉ କଣ ଅଛି? ସେଠାରେ ସବୁ ସାଂସଦ ନିଜ ଅଂଚଳର ସମସ୍ୟା ଉଠାଇଥାନ୍ତି । ଭୁବନେଶ୍ୱର ସାଂସଦ ଚାହିଁଥିଲେ ଏକ୍ରାମ କ୍ଷେତ୍ରର ବିକାଶରେ ବାଧା ସୃଷ୍ଟି କରୁଥିବା ବାଇ-ଲ ପ୍ରସଙ୍ଗ ଉଠାଇ ପାରିଥାନ୍ତେ ।

କେବଳ ଏତିକି ନୁହେଁ ବିଜୁ ଜନତା ଦଳ ଓ ବିଜେପି ଦଳର ସାଂସଦ ମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ, କିନ୍ତୁ ସେଠାରେ ସାଂସଦଙ୍କୁ ଦେଖିବାକୁ ପାଇନଥିବା କହିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ବିଜେଡି ସାଂସଦମାନେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ଭେଟିଲେ କିନ୍ତୁ ନିର୍ଦ୍ଦେଶ ସତ୍ତେ୍ୱ ସେଠାକୁ ଆସିନଥିଲେ ଅପରାଜିତା ଷଡଙ୍ଗୀ , ଯାହାକି ଦୁର୍ଭାଗ୍ୟଜନକ । ରାଜ୍ୟ ସଂସ୍କୃତି ବିଭାଗ ଅବହେଳା କରୁଛି ବୋଲି କହି ବୁଲିବା ଦ୍ୱାରା ଜନମାନସକୁ ବିଭ୍ରାନ୍ତ କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।

ସେପଟେ ମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେବା ବଦଳରେ ଉତ୍ତର ମାଗିଛନ୍ତି ସାଂସଦ ଅପରାଜିତ । ସେ କହିଛନ୍ତି ଗତ ୧୫ ତାରିଖ ଦିନ ରାଜ୍ୟ ସରକାରଙ୍କୁ ସେ ୫ଟି ପ୍ରଶ୍ନ ପଚାରିଥିଲେ । ପ୍ରଥମେ ସରକାର ତାଙ୍କ ସେହିସବୁ ପ୍ରଶ୍ନର ଉତ୍ତର ରଖନ୍ତୁ । ପରେ ସେ ମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ରଖିବେ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।