ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ପୁଣି ଅଭିଯୋଗ ଆଣିଲେ ଅପରାଜିତା । କହିଲେ, ଟଙ୍କା ଦେଉଛି ଯିଏ, ନେଉଛି ସିଏ…

299

କନକ ବ୍ୟୁରୋ: ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ପୁଣି ନୂଆ ଅଭିଯୋଗ ଆଣିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଗୋଟିଏ ଲୋକ, କେମିତି ମନ୍ଦିର ପ୍ରଶାସନ, ଠିକା ନେଇଥିବା ସଂସ୍ଥା ଓ ପୂର୍ତ୍ତ ବିଭାଗର ମୁଖ୍ୟ ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟଙ୍କା ଦେଉଛି ଯିଏ, ନେଉଛି ସିଏ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଭିତରେ ମୁଖ୍ୟ ପ୍ରଶାସକ ଏକା ସଙ୍ଗେ ତିନୋଟି ଦାୟିତ୍ୱରେ ରହିବା ନେଇ ଅପରାଜିତାଙ୍କ ପ୍ରଶ୍ନ ନୂଆ ବିବାଦ ସୃଷ୍ଟି କରିଛି ।

ଅପରାଜିତାଙ୍କ ନୂଆ ଅଭିଯୋଗ ହେଲା ଉଦ୍ଦେଶ୍ୟମୂଳକ ଭାବେ ଜଣେ ବ୍ୟକ୍ତିଙ୍କୁ ତିନି ତିନିଟି ଦାୟିତ୍ୱ ଦିଆଯାଇଛି । ରାଜ୍ୟ ସରକାରଙ୍କ ବର୍ତ୍ତମାନ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ଯିଏ ରହିଛନ୍ତି, ସେହି ବ୍ୟକ୍ତି ଓଡିଶା ବ୍ରିଜ କଂଟ୍ରକସନ ଆଣ୍ଡ କର୍ପୋରେସନ, ଓବିସିସିର ଅଧ୍ୟକ୍ଷ ଦାୟିତ୍ୱରେ ଅଛନ୍ତି । ସେହିପରି ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ମଧ୍ୟ ରହିଛନ୍ତି । ନିର୍ଦ୍ଧିଷ୍ଟ ଅଧିକାରୀ ତିନୋଟି ଦାୟିତ୍ୱରେ କିପରି ଅଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଟଙ୍କା ଦେଉଛି ଯିଏ, ନେଉଛି ସିଏ । ଏହା ସଂଯୋଗ ନା ସୁଚିନ୍ତିତ ଷଡଯନ୍ତ୍ର ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଥମୁନାହିଁ । ଆଉ ଏହାର ଭିତରେ ପ୍ରସଙ୍ଗକୁ ନେଇ ପ୍ରଥମରୁ ହିଁ ସଂସଦରୁ ଆରମ୍ଭ କରି ଭୁବନେଶ୍ୱର ଯାଏଁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଆସନ୍ତିଛନ୍ତି ଅପରାଜିତା । ଆଉ ତାଙ୍କର ନୂଆ ଅଭିଯୋଗ ଆଉ ଏକ ବିବାଦ ସୃଷ୍ଟି କରିଛି । ପ୍ରକଳ୍ପ ନେଇ ବିଜେପି ସାଂସଦଙ୍କ ନୂଆ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । କହିଛି, ଅପରାଜିତାଙ୍କ ପ୍ରଶ୍ନର କୌଣସି ଯଥାର୍ଥତା ନାହିଁ । ଆଉ ତାଙ୍କର ସବୁ ପ୍ରଶ୍ନ ଉତ୍ତର ଦେବାର ଆବଶ୍ୟକତା ନାହିଁ ।

ଅନ୍ୟପଟେ ଐତିହ୍ୟ ପ୍ରକଳ୍ପକୁ ନେଇ ବିବାଦ ଜାରି ରହିଥିବାବେଳେ ପୁରୀ ଏମାର ମଠ ପରିସରରୁ ଏକ ସିଂହର ଭଙ୍ଗାମୂର୍ତ୍ତି ଦେଖିବାକୁ ମିଳିଛି । ଖନନ ବେଳେ ପୁରାତନ ସିଂହମୁର୍ତି ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି । ଠିକ ଭାବେ ମ୍ୟାପିଂ କରାନଯାଇ ଖନନ କରାଯାଇଥିବାରୁ ଏପରି ଘଟିଥିବା କୁହାଯାଉଛି ।