କେନ୍ଦ୍ରସରକାରଙ୍କ ବଡ ନିଷ୍ପତ୍ତି । ଜମ୍ମୁ-କାଶ୍ମୀରରେ କେହି ବି କିଣି ପାରିବେ ଜମି । ଗୃହମନ୍ତ୍ରଣାଳୟ ଜାରି କଲେ ନୂଆ ନୋଟିସ …………

386

କନକ ବ୍ୟୁରୋ : ଦେଶର କୌଣସି ବି ଲୋକ ଜମ୍ମୁ କାଶ୍ମୀରରେ ଜମି କିଣି ପାରିବ । ସେଠାରେ ଘର ଦ୍ୱାର କରି ବି ରହି ପାରିବ । ଗୃହମନ୍ତ୍ରଣାଳୟ ଦ୍ୱାରା ଏନେଇ ମଙ୍ଗଳବାର ଦିନ ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ହେଲେ ବର୍ତମାନ ଚାଷ ଜମି ଉପରେ ଏହି ନିୟମ ଲାଗୁ ହୋଇପାରିବ ନାହିଁ ବୋଲି ଗୃହମନ୍ତ୍ରଣାଳୟ ସ୍ପଷ୍ଟ କରିଛନ୍ତି ।
ଜମ୍ମୁ- କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି କି ଏହି ନିଷ୍ପତ୍ତି କାଶ୍ମୀର ବାସୀଙ୍କ ପାଇଁ ଲାଭ ଦାୟକ ହେବ । ଏହା ଫଳରେ ବାହାରୁ ଆସୁଥିବା ଶିଳ୍ପପତି ମାନେ ଏଠାରେ ଶିଳ୍ପ ପ୍ରତିଷ୍ଠା କରିବାର ସୁଯୋଗ ପାଇବେ । ଶିଳ୍ପ ପ୍ରତିଷ୍ଠା ହେଲେ ସ୍ଥାନୀୟ ଯୁବକ ମାନଙ୍କୁ ରୋଜଗାର ମିଳିବା ସହ କାଶ୍ମୀର ଅର୍ଥନୀତିର ବିକାଶ ହୋଇପାରିବ । ହେଲେ ଚାଷଜମି କେବଳ ରାଜ୍ୟର ଲୋକମାନଙ୍କ ମଧ୍ୟରେ କିଣାବିକା ହୋଇପାରିବ ।

କହିରଖୁ କି ଏପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀର ଜମି କିଣା ବିକା କେବଳ ସେଠିକାର ବାସିନ୍ଦା ମାନଙ୍କ ମଧ୍ୟରେ ହୋଇପାରୁଥିଲା । ଏହି ନିର୍ଦ୍ଦେଶନାମା ପରେ ବାହାର ରାଜ୍ୟର ଲୋକ ସେଠି ଜମି କିଣି ରହିବା ସହିତ ବାଣିଜ୍ୟ କରିବାର ସୁଯୋଗ ପାଇବେ ।
କେନ୍ଦ୍ର ଗୃହମନ୍ତ୍ରଣାଳୟ ଜମ୍‌ୁ-କାଶ୍ମୀର ପୁନଃଗଠନ ଅଧିନିୟମ ସହଯୋଗରେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଯାହା ଫଳରେ କୌଣସି ବି ଭାରତୀୟ ଏଠାରେ ଫେକ୍ଟ୍ରି, ଘର ବା ଦୋକାନ ପାଇଁ ଜମି କିଣିପାରିବେ । ଏଥିପାଇଁ ସ୍ଥାନୀୟ ବାସିନ୍ଦା ବୋଲି କୌଣସି ପ୍ରମାଣ ଦେବାକୁ ପଡିବ ନାହିଁ ।

କେନ୍ଦ୍ର ଏନଡିଏ ସରକାର ଗତବର୍ଷ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ । ଏହା ପରେ ୩୧ ଅକ୍ଟୋବର ୨୦୧୯ରେ ଜମ୍ମୁ-କାଶ୍ମୀରକୁ କେନ୍ଦ୍ର ଶାସିତ ରାଜ୍ୟର ମାନ୍ୟତା ମିଳିଥିଲା । କେନ୍ଦ୍ରଶାସିତ ରାଜ୍ୟ ମାନ୍ୟତା ପାଇବାର ଗୋଟିଏ ବର୍ଷ ପରେ ପୂର୍ବ ଆଇନକୁ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର ।