ଜଳପଥରେ ଆସି ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଛି ଜୈସ-ଇ-ମହମ୍ମଦ । ଗୁଇନ୍ଦା ସୂଚନା ପରେ ନୌସେନା ମୁଖ୍ୟ କହିଲେ ଜବାବ ଦେବାକୁ ପ୍ରସ୍ତୁତ ନୌବାହିନୀ

189

କନକ ବ୍ୟୁରୋ : ଜଳପଥରେ ଆସି ଭାରତ ଉପରେ ଆକ୍ରମଣ କରିବା ପାଇଁ ଜୈସ-ଇ-ମହମ୍ମଦ ଆତଙ୍କାବଦୀଙ୍କୁ ଟ୍ରେନିଂ ଦେଉଛି ପାକିସ୍ତାନ । ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ନୂଆ ନୂଆ ଆତଙ୍କବାଦୀମାନଙ୍କୁ ନିଜ ସଂଗଠନରେ ନିଯୁକ୍ତି ଦେବା ସହ ଜଳପଥ ବ୍ୟବହାର କରି ଭାରତରେ କିଭଳି ଆତଙ୍କୀ ଆକ୍ରମଣ କରାଯାଇପାରିବ, ସେଥିପାଇଁ ଚଳାଇଛି ବ୍ୟାପକ ଯୋଜନା । ଭାରତୀୟ ଗୁଇନ୍ଦା ବିଭାଗର ଏହି ସୂଚନା ମିଳିବା ପରେ ଭାରତୀୟ ନୌସେନା ନିଜକୁ ସମ୍ପୂର୍ଣ୍ଣ ସଜାଗ ରଖିଛି ।

କିଭଳି ଆତଙ୍କବାଦୀଙ୍କ ସବୁ ଚାଲକୁ ପଣ୍ଡ କରାଯାଇପାରିବ ସେ ନେଇ ସମସ୍ତ ପ୍ରସ୍ତୁତ କରାଯାଇଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ନୌସେନାର ଚିଫ୍ ଆଡମିରାଲ କରମବୀର ସିଂହ । ସେ କହିଛନ୍ତି ଗୁଇନ୍ଦା ସୂଚନା ଆଧାରରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ନୌସେନାକୁ ଫୁଲ ଆଲର୍ଟରେ ରଖାଯାଇଥିବା । ଏଥି ସହ ୨୬/୧୧ ମୁମ୍ବାଇ ଆକ୍ରମଣ ପରି ଜଳପଥ ବ୍ୟବହାର କରି ଆତଙ୍କବାଦୀମାନେ ଦେଶ ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନା ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ତଟ ସୁରକ୍ଷା ବାହିନୀକୁ ସଜାଗ କରିବା ସହ ତଟବର୍ତୀ ଅଂଚଳରେ ପାଟ୍ରୋଲିଂକୁ କଡାକଡି କରାଯାଇଛି ବୋଲି ସେ କହିଛନ୍ତି ।