ଆୟକର ବିଭାଗ ସ୍କାନରରେ ବଲିଉଡ୍ ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ଓ ଅଭିନେତ୍ରୀ ତାପସୀ ପନ୍ନୁ : କ୍ରମାଗତ ଦ୍ୱିତୀୟ ଦିନରେ ଉଭୟଙ୍କୁ ହେବ ଜେରା

ଫାଂଟମ୍ , କ୍ୱାନ୍ ସମେତ ରିଲାଏନ୍ସ ଏଂଟରଟେନମେଂଟ ସଂସ୍ଥା ସମ୍ପର୍କରେ ଚାଲିଛି ଖୋଳତାଡ

96

କନକ ବ୍ୟୁରୋ : ଆୟକର ବିଭାଗ ସ୍କାନରରେ ଅନୁରାଗ କାଶ୍ୟପ ଏବଂ ତାପସୀ ପନ୍ନୁ । ପ୍ରଯୋଜନା ସଂସ୍ଥା ଫାଂଟମ୍ ବିରୋଧରେ ଆସିଥିବା ଆୟକର ଫାଙ୍କି ଅଭିଯୋଗରେ , ଦୁଇ କଳାକାରଙ୍କୁ ପଚରା ଉଚରା କରୁଛି ଆୟକର ବିଭାଗ । ଗତକାଲି ମୁମ୍ୱାଇ ଓ ପୁଣେର ୨୨ରୁ ଅଧିକ ସ୍ଥାନରେ ଆୟକର ବିଭାଗର ଅଧିକାରୀ ଚଢାଉ କରଥିଲେ ।

ବୁଧବାର ରାତି ୧୧ଟା ଯାଏଁ ଅନୁରାଗ କାଶ୍ୟପ ଏବଂ ତାପସୀ ପନ୍ନୁଙ୍କ ଘରେ ଚଢାଉ ସହିତ ପଚରାଉଚରା କରିଥିଲେ ଆୟକର ବିଭାଗ ଅଧିକାରୀ । ଆଜି ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ । ଫାଂଟମ୍ ଫିଲ୍ମରେ ଟିକସ ଫାଙ୍କି ଅଭିଯୋଗ ନେଇ ନିର୍ଦ୍ଦେଶକ ଅନୁରାଗ କାଶ୍ୟପ, ଅଭିନେତ୍ରୀ ତାପସୀ ପନୁଙ୍କ ସମେତ ନିର୍ଦ୍ଦେଶକ ବିକାଶ ବେହଲ , ବିକ୍ରମାଦିତ୍ୟ ମୋଟୱାନୀ, ମଧୁ ମଟେଂନା ପ୍ରମୁଖଙ୍କ ବାସଭବନରେ ଚଢାଉ ହୋଇଛି ।

ଆଜି ବିକାଶ ବେହଲ , ବିକ୍ରମାଦିତ୍ୟ ମୋଟୱାନୀ, ମଧୁ ମଟେଂନାଙ୍କ ଘରେ ଚଢାଉ ସହ ପଚରା ଉଚରା ହେବା ସୂଚନା ମିଳିଛି । ଆୟକର ବିଭାଗ ଫାଂଟମ୍ ଫିଲ୍ମ, କ୍ୱାନ୍, ଏକ୍ସିଡି, ରିଲାଏନ୍ସ ଏଂଟରଟେନମେଂଟ ଅଫିସରେ ଚଢାଉ କରିଛି । ଆୟକର ବିଭାଗ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏହି ଚଢାଉରେ ୩ ଦିନ ଲାଗିବ । ଚଢାଉ ସମୟରେ ଯାହା ବି ପ୍ରମାଣ ମିଳିଛି ତାହାର ଡିଜିଟାଲ ବ୍ୟାକଅପ୍ ରଖାଯାଉଛି । ସେଥିପାଇଁ ଯାଂଚ ପ୍ରକ୍ରିୟା ସରିବାକୁ ସମୟ ଲାଗିପାରେ ।

୨୦୧୧ ମସିହାରେ ଅନୁରାଗ କାଶ୍ୟପ, ମଧୁ ମେଂଟନା ଓ ବିକ୍ରମାଦିତ୍ୟ ମୋଟୱାନୀ ଏବଂ ବିକାଶ ବେହଲ, ଫାଂଟମ୍ ଫିଲ୍ମର ସ୍ଥାପନ କରିଥିଲେ । ୨୦୧୮ ମସିହାରେ ଏହି ପ୍ରଯୋଜନା ସଂସ୍ଥାକୁ ବନ୍ଦ କରିଦିଆଯାଇଥିଲା । ବିକାଶ ବେହଲଙ୍କ ଉପରେ ମିଠୁ କ୍ୟାମ୍ପେନ ଜରିଆରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ, ଫାଂଟମ ଫିଲ୍ମର ୪ ପ୍ରଯୋଜକ ପରସ୍ପରଠୁ ଅଲଗା ହୋଇଥିଲେ ।