ବିଜୁ ଭୂମିକାରେ ନଜର ଆସିବେ ଅନୁଭବ ମହାନ୍ତି ! ପ୍ରବାଦ ପୁରୁଷଙ୍କ ଜୀବନଶୈଳୀ ନେଇ ଆସୁଛି ଚଳଚ୍ଚିତ୍ର ।

318

କନକ ବ୍ୟୁରୋ : ପରଦାକୁ ଆସିବ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଜୀବନଶୈଳୀ ଉପରେ ଆଧାରିତ ଓଡିଆ ଚଳଚ୍ଚିତ୍ର । ବିଜୁଙ୍କ ଜୀବନୀ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି ବୋଲି ଜଣାପଡିଛି । ଚଳଚ୍ଚିତ୍ରର ନାଁ ରଖାଯାଇଛି ‘ବିଜୁବାବୁ’ । ଆଉ ଏହି ଚଳଚ୍ଚିତ୍ରରେ ବିଜୁ ପଟ୍ଟନାୟକଙ୍କ ଭୂମିକାରେ ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି ଅଭିନୟ କରିବେ ବୋଲି ଜଣାପଡିଛି । ଏପରିକି ସିନେମାର ପ୍ରଥମ ପୋଷ୍ଟର ମଧ୍ୟ ଲୋକାର୍ପଣ ହୋଇଛି ।

ଆଜି ବିଜୁବାବୁଙ୍କ ଜନ୍ମସ୍ଥାନ କଟକ ଠାରେ ହଜାର ହଜାର ପ୍ରଂଶସକଙ୍କ ଗହଣରେ ‘ବିଜୁବାବୁ’ ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟରକୁ ଲୋକାର୍ପଣ କରାଯାଇଛି । ପ୍ରଶାନ୍ତ ବେହେରା ଏବଂ ଅକ୍ଷୟ ପରିଜାଙ୍କ ଦ୍ୱାରା ପ୍ରଯୋଜିତ ଏହି ଚଳଚ୍ଚିତ୍ରଟି ଏପ୍ରିଲ ମାସ ୧ ତାରିଖ ସୁଦ୍ଧା ମୁକ୍ତିଲାଭ କରିବ ବୋଲି ଜଣାପଡିଛି । ତେବେ ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ।

ଏହି ଅବସରରେ ପ୍ରଯୋଜକ ଅକ୍ଷୟ ପରିଜା କହିଛନ୍ତି, ବିଜୁବାବୁ ହେଉଛନ୍ତି ଓଡିଶାର ଜଣେ କିମ୍ବଦନ୍ତୀ ପୁରୁଷ । ଏହି ଚଳଚ୍ଚିତ୍ର ମାଧ୍ୟମରେ ବିଜୁବାବୁଙ୍କ ଆଦର୍ଶ, ମହାନତା, ନିର୍ଭିକତା ପ୍ରତିଫଳିତ ହେବ । ଆଉ ଓଡିଶାବାସୀ ବିଜୁବାବୁଙ୍କ ସମ୍ପର୍କରେ ଅନେକ ତଥ୍ୟ ଏହି ଚଳଚ୍ଚିତ୍ର ମାଧ୍ୟମରେ ଜାଣିବାକୁ ପାଇବେ ।