ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା। କୋର୍ଟରେ ହାଜର ହେଲେ, ଫାଇନ ଗଣିଲେ।  

221

କନକ ବ୍ୟୁରୋ:  ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ପରିବାର ଅଦାଲତରେ ବିଚାରପତି ନିଜ ଚାମ୍ବରରେ ଉଭୟଙ୍କ ମଧ୍ୟସ୍ଥତା କରିଛନ୍ତି । ହେଲେ ମଧ୍ୟସ୍ଥତାର ଫଳାଫଳ କଣ ହେଲା ସ୍ପଷ୍ଟ ହୋଇନାହିଁ । ଏଥିସହ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବର୍ଷା ଓ ଅନୁଭବ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଗଣିଛନ୍ତି । କୋର୍ଟଙ୍କ ସମୟ ନଷ୍ଟ କରିବେ ନାହିଁ ଓ ସହଯୋଗ କରିବେ ବୋଲି ବର୍ଷା ପ୍ରିୟଦର୍ଶନୀ କୋର୍ଟରେ ସତ୍ୟପାଠ ଦାଖଲ କରିଥିବା ଜଣାପଡିଛି ।

ଶୁଣାଣି ତାରିଖ ବାରମ୍ବାର ଧାର୍ଯ୍ୟ ସତ୍ତେ୍ୱ ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷା ଆସୁନଥିଲେ । ସେହିପରି ବିବାହ ଛାଡପତ୍ର ଆବେଦନରେ ଅନୁଭବ ବିବାହ ସ୍ଥାନ ଭୁଲ ଲେଖିଥିଲେ । ଅଯଥା କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଫ୍ୟାମିଲି କୋର୍ଟରେ ଉଭୟ ପତି-ପତ୍ନୀ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଗଣିଥିବା ଜଣାପଡିଛି ।

ଷ୍ଟାର ଦମ୍ପତିଙ୍କ ବିବାହ ବିଚ୍ଛେଦ ମାମଲାର ଶୁଣାଣି ପାଇଁ ଉଭୟଙ୍କୁ ମଧ୍ୟସ୍ଥତା କେନ୍ଦ୍ରରେ ଏକାଠି ହାଜର ହେବାକୁ ଗତ ୯ ତାରିଖରେ କୋର୍ଟ ସମନ ଜାରି କରିଥିଲେ । ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷା ପ୍ରିୟଦର୍ଶନୀଙ୍କ ପକ୍ଷରୁ ହୋଇଥିବା ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି । ସେହିପରି ବିବାହ ସ୍ଥାନ ସଂଶୋଧନ ପାଇଁ ସାଂସଦ ଅନୁଭବ ମହାନ୍ତି କରିଥିବା ଆବେଦନ ମଧ୍ୟ ଗ୍ରହଣ ହୋଇଛି ।  କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଉଭୟ ବର୍ଷାପ୍ରିୟଦର୍ଶନୀ ଓ ଅନୁଭବ ମହାନ୍ତି ପାରିବାରିକ ଅଦାଲତରେ ହାଜର ହୋଇଥିଲେ । ଆଗକୁ ଷ୍ଟାର ଦମ୍ପତିଙ୍କ କଳି କେଉଁ ମୋଡ ନେଉଛି ତା ଉପରେ ନଜର ରହିଛି ।