ଝରଣାର ନାଁ ବରକନ୍ୟା: ନୟାଗଡ଼ ଓଡ଼ଗାଁରେ ମିଳିଛି ପୁଣି ଏକ ଝରଣାର ସନ୍ଧାନ

121

କନକ ବ୍ୟୁରୋ: ନୟାଗଡ ଜିଲ୍ଲା ଓଡଗାଁରେ ମିଳିଛି ପୁଣି ଏକ ଝରଣାର ସନ୍ଧାନ । ସିମିଳି, ଭାଲୁଝର ଆଉ ରାଜଗିରି ପରେ ଏବେ ସାମନାକୁ ଆସିଛି ବରକନ୍ୟା ଝରଣା । ତେବେ ଏହାର ବିଶେଷତ୍ୱ ହେଉଛି ଏହା ଚିର ପ୍ରବାହମାନ ଓ ଏଥିରେ ରହିଛି ୪ଟି ପ୍ରପାତ । ପ୍ରକୃତିର ଏହି ନୈସର୍ଗିକ ଆବଦାନଟି ଆଜିଯାଏଁ ଲୋକ ଲୋଚନରୁ ଆଢୁଆଳରେ ରହିଆସିଥିବା ବେଳେ ଏବେ ଏହାର ଉନ୍ନତି ପାଇଁ ଅଂଟା ଭିଡିଛି ପ୍ରଶାସନ । ମାର୍ଚ ମାସରେ କମିନି ଜଳସ୍ରୋତ । ଝରଝର ହୋଇ ଝରିବାରେ ଲାଗିଛି ଝରଣା । ନୟାଗଡ ଜିଲ୍ଲା ଓଡଗାଁ ବ୍ଳକ ନିହଲ ପ୍ରସାଦ ଗାଁ ନିକଟରେ ରହିଥିବା ବରକନ୍ୟା ଝରଣାକୁ ଏବେ ଛୁଟୁଛି ଲୋକଙ୍କ ସୁଅ । ନିଜ ଭିତରେ ନିଜର ଅସ୍ତିତ୍ୱ ହଜାଇଥିବା ଏହି ଝରଣା ଏବେ ଲୋକଙ୍କ ଆକର୍ଷଣ ପାଲଟିଛି । ଶୁକ୍ରବାର ନୟାଗଡ ଜିଲ୍ଲାପାଳ, ଡିଏଫଓ ଓ ବିଧାୟକଙ୍କ ସହ ଶହ ଶହ ଲୋକ ଏହି ସ୍ଥାନ ପରିଦର୍ଶନ କରିଛନ୍ତି । ଏଠିକାର ପ୍ରାକୃତିକ ପରିବେଶ ଓ ଜଳ ପ୍ରପାତ ଗୁଡିକର ମଜା ଉଠାଇଛନ୍ତି । ପାହାଡ ଚଢା ସାଙ୍ଗକୁ ଘଂଚ ଜଂଗଲର ଅନୁଭୁତି ସାଉଁଟିଛନ୍ତି । ଅଂଚଳର ଉନ୍ନତି ସହ ଏହାକୁ ଓଡିଶାର ସର୍ବଶ୍ରେଷ୍ଠ ସୁନ୍ଦର ସ୍ଥାନରେ ପରିଣତ କରିବାକୁ ଅଂଟା ଭିଡିଛି ପ୍ରଶାସନ ।