କନକ ବ୍ୟୁରୋ : ମହିଳା ଚଳାଉଛନ୍ତି ଆବର୍ଜନା ଗାଡି । ସ୍ୱାବଲମ୍ବନ କ୍ଷେତ୍ରରେ ଆଉ ଏକ ମାଇଲ୍ ଖୁଣ୍ଟ । ସଂସାର ବୋଝକୁ କେବଳ ସ୍ୱାମୀଙ୍କର କାନ୍ଧରେ ଲଦି ଦେଇନାହାନ୍ତି । ସ୍ୱାମୀଙ୍କର ଆର୍ଥିକ ସମସ୍ୟାକୁ କମ କରିବା ପାଇ ପଦାକୁ ଗୋଡ କାଢିଛନ୍ତି । ରାଜଧାନୀରେ ଆବର୍ଜନା ଗାଡି ଚଳାଉଛନ୍ତି ୨ ଜଣ ମହିଳା । ସେ ହେଉଛନ୍ତି ମନୋରାମା ଦାସ ଓ ଝୁନାରାଣୀ ନାୟକ ।

Advertisment

ଏମାନଙ୍କ ହାତରେ ସହରର ଆବର୍ଜନା ବୋହୁଥିବା ଗାଡ଼ିର ଷ୍ଟିୟରିଂ ରହିଛି । ସେମାନଙ୍କ ଭଳି ଅନ୍ୟ ୫ଜଣ ମହିଳା ବି ଏବେ ରାଜଧାନୀରେ ଆବର୍ଜନା ବୁହା ଗାଡ଼ି ଚଳାଇ ସ୍ୱାବଲମ୍ବୀ ହୋଇପାରିଛନ୍ତି । ପୂର୍ବରୁ କେବଳ ପୁରୁଷ ମାନେ ଏହି ଗାଡି ଚଳାଉଥିବା ବେଳେ ଏବେ ମହିଳା ନୂଆ ମାଇଲଖୁଂଟ ସ୍ଥାପନ କରିଛନ୍ତି । ଗାଡି ଚଳାଇବାର ତାଲିମ ଦେଇଥିଲା ‘ସେଣ୍ଟର ଫର ୟୁଥ ଆଣ୍ଡ ସୋସିଆଲ ଡେଭଲପମେଣ୍ଟ’ ।

ବିଏମସି ପକ୍ଷରୁ ଆର୍ବଜନା ଗାଡି ଧରି ଦୁଆର ଦୁଆର ବୁଲି ଆବର୍ଜନା ସଂଗ୍ରହ କରି ଡମ୍ପିଂୟାର୍ଡ ପର୍ଯ୍ୟନ୍ତ ନେବା କାମ ଏହି ମହିଳା ମାନଙ୍କର । ମାସିକ ୧୦ ହଜାରରୁ ଅଧିକ ଟଙ୍କା ସେମାନେ ରୋଜଗାର କରୁଛନ୍ତି । ସକାଳୁ କାମ ଆରମ୍ଭ ହୋଇ ଦିନ ୨ଟା ସୁଦ୍ଧା କାମ ଶେଷ ହୋଇଯାଏ । ନିଜ ହାତରେ ଅଳିଆ ଆବର୍ଜନା ଉଠାଇବା ସହିତ ଗାଡିରେ ଲଦି ଡମ୍ପିଂୟାର୍ଡ ପର୍ଯ୍ୟନ୍ତ ନେଇ ଯାଆନ୍ତି ।

ଏନେଇ ମନୋରମାଙ୍କ କହିବା କଥା ମାଲବାହୀ ମଟର ଗାଡ଼ି ଚଳାଇବା ମହିଳାମାନଙ୍କ ପାଇଁ କଷ୍ଟକର ବୋଲି କୁହାଯାଉଥିଲା । କିନ୍ତୁ ଏହା ପୁରୁଣା କଥା । ଏବେ ମହିଳାମାନେ ଟ୍ରକ୍‌, ବସ୍‌ ଭଳି ଭାରୀଯାନ ଚଳାଇଲେଣି । ମହିଳାମାନେ ବ୍ୟାଟେରିଚାଳିତ ମୋ’ ବସ୍‌ ଚଳାଇଲେଣି । ତେଣୁ ଆମେ ବି ଆଗକୁ ତା‌ଲିମ୍‌ ନେଇ ବଡ଼ ଗାଡ଼ି ଚଳାଇବାକୁ ଲକ୍ଷ୍ୟ ରଖିଛୁ । ଆବର୍ଜନା ଉଠାଇବା ପ୍ରସଙ୍ଗରେ ମନୋରମା ଓ ଝୁନାରାଣୀଙ୍କ କହିବା କଥା କୌଣସି କାମ ଛୋଟ ନୁହେଁ । ଏହି କାମକୁ କେହି ନା କେହି ତ କରିବେ । ତେଣୁ ଆମେ କଲେ, କ୍ଷତି କ’ଣ ବୋଲି ସେମାନେ ପାଲଟା ପ୍ରଶ୍ନ କରିଥିଲେ । ପରିଶ୍ରମ କରି ରୋଜଗାର କରିବା ବଡ଼ କଥା । କର୍ମ ହିଁ ଭଗବାନ। କାମକୁ ଘୃଣା କରିବା ଅର୍ଥ ରୋଜଗାରକୁ ପଦାଘାତ କରିବା ।