ଆଉ ଏକ ହାତୀର କଙ୍କାଳ ଉଦ୍ଧାର : କିଛି ଦିନ ଭିତରେ ମିଳିଲାଣି ୪ ହାତୀର ଗଳିତ ମୃତଦେହ; ଉଦବେଗ ପ୍ରକାଶ କଲେ ପରିବେଶବିତ୍

103

କନକ ବ୍ୟୁରୋ : ବଡମ୍ବା ବନାଞ୍ଚଳ ମାଟି ତଳୁ ଆଉ ଏକ ହାତୀ କଙ୍କାଳ ଉଦ୍ଧାର ହୋଇଛି । ବଡମ୍ବା ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲର ହାଡୁଆ ପ୍ରକଳ୍ପ ନିକଟବର୍ତ୍ତୀ ଅଞ୍ଚଳରୁ ହାତୀର କଙ୍କାଳ ଉଦ୍ଧାର ହୋଇଛି । କଙ୍କାଳଟି ଦନ୍ତା ହାତୀର ଓ ତାର ବୟସ ୨୦ ରୁ ୨୫ବର୍ଷ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଉଛି । ଆଠଗଡ ବନଖଣ୍ଡର କେବଳ ନରସିଂହପୁର ଓ ବଡମ୍ବାରେ ଏସଟିଏଫ ପକ୍ଷରୁ ଏପର୍ଯ୍ୟନ୍ତ ୪ଟି ହାତୀର ଗଳିତ ମୃତଦେହ ଉଦ୍ଧାର କରାଗଲାଣି । କେବଳ ନରସିଂହପୁରର ଦୁଇଟି ରେଞ୍ଜରେ ୪ମାସରେ ୫ଟି ହାତୀଙ୍କ ମୃତ୍ୟୁ ଘଟିଲାଣି ।

ବିଡମ୍ବନାର ବିଷୟ ହେଉଛି, ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲ ଓ ନରସିଂହପୁର ଅଂଚଳରେ ଆହୁରି କେତୋଟି ହାତୀକୁ ମାରି ଏମିତି ମାଟି ତଳେ ପୋତି ଦିଆଯାଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଏତେ କମ୍ ଦିନ ଭିତରେ ଏତେ ସଂଖ୍ୟାରେ ହାତୀ ମରିବା ଓ ମାଟି ତଳୁ ହାତୀର କଙ୍କାଳ ଉଦ୍ଧାର ହେବା ସମସ୍ତଙ୍କୁ ଚକିତ କରିଛି । ଆଠଗଡ ବନଖଣ୍ଡକୁ ହାତୀଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ ବୋଲି କୁହାଯାଉଥିଲା । ମାତ୍ର ଏବେ ଏହା ମୃତ୍ୟୁର ଉପତ୍ୟାକା ପାଲଟିଛି । ଏହାକୁ ନେଇ ଉଦବେଗ ପ୍ରକାଶ ପାଇଛି ।