ମନି ଲଣ୍ଡ୍ରିଂ ମାମଲାରେ ନାୟିକାଙ୍କ ନାଁ: ଜ୍ୟାକଲିନଙ୍କ ପରେ ନୋରାଙ୍କୁ ଜେରା, ୬ ଘଣ୍ଟାରେ ୫୦ ପ୍ରଶ୍ନ

98

କନକ ବ୍ୟୁରୋ: କନମ୍ୟାନ୍ ସୁକେଶ ଚନ୍ଦ୍ରଶେଖରଙ୍କ ଜଡିତ ୨୦୦ କୋଟି ଟଙ୍କା ଅର୍ଥ ହେରଫେର୍ ମାମଲାରେ ନୋରାଙ୍କୁ ପ୍ରଥମଥର ପାଇଁ ଜେରା କରିଛି ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖା । ୬ ଘଂଟା ଧରି ଗୁଡାଇ ତୁଡାଇ ପାଖାପାଖି ୫୦ ପ୍ରଶ୍ନ ପଚାରିଛି ପୋଲିସ । ଏଥିମଧ୍ୟରୁ ସୁକେଶ ଠୁ ନୋରା କେବେ ଗିପ୍ଟ ନେଇଥିଲେ ? ସୁକେଶଙ୍କୁ ପ୍ରଥମେ କେଉଁଠି ଭେଟିଥିଲେ, ଏମିତି ଅନେକ ପ୍ରଶ୍ନ ରହିଥିଲା । ତେବେ ପଚରାଉଚରାରେ ନୋରା ପୂରା ସହଯୋଗ କରିଥିବା ଜଣାପଡିଛି । ଦିଲ୍ଲୀ ପୁଲିସ କହିଛି ଆବଶ୍ୟକ ପଡିଲେ ପୁଣି ଥରେ ନୋରାଙ୍କୁ ଜେରା ପାଇଁ ସମନ ପଠାଯିବା ସମ୍ଭାବନା ରହିଛି । ପୂର୍ବରୁ ଏହି ମାମଲରେ ଇଡି ଜ୍ୟାକଲିନଙ୍କୁ ୩ ଥର ପଚରାଉଚରା କରିସାରିଛି ।

ନୋରାଙ୍କ ଜବାବ
• ସୁକେଶ ଜଣେ ଠକ୍ ବୋଲି ସେ ଜାଣିନଥିଲେ
• ସୁକେଶଙ୍କ ପତ୍ନୀ ଲୀନାଙ୍କ ସହ ନୋରାଙ୍କ ବନ୍ଧୁତା ରହିଛି
• ବିଭିନ୍ନ କାର୍ଯ୍ୟକ୍ରମରେ ପରସ୍ପର ସହ ଭେଟିଛନ୍ତି
• ସୁକେଶ ଓ ତାଙ୍କ ପତ୍ନୀଙ୍କଠୁ ବିଏମଡବ୍ଲୁ କାର ଉପହାର ପାଇଛନ୍ତି
• ସୁକେଶଙ୍କ ସହ ସେ ଓ ତାଙ୍କ ସର୍ମ୍ପକୀୟ ବେଳେବେଳେ କଥା ହୁଅନ୍ତି
• ମନି ଲଂଡ୍ରି ଆକ୍ସ ୨୦୦୨ର ଧାରା ୫୦ରେ ନୋରାଙ୍କ ବୟାନ ରେକର୍ଡ କରିଛି ଦିଲ୍ଲୀ ପୁଲିସ ।

ବଡ ଧରଣର ଅର୍ଥ ହେରଫେର ମାମଲାରେ ସେପଟେ ଦିଲ୍ଲୀ ପୋଲିସ ଜ୍ୟାକଲିନ୍ଙ୍କୁ ୧୨ ସେପ୍ଟମ୍ବରକୁ ପଚରାଉଚରା ପାଇଁ ସମନ ଜାରି କରିଛି । ପୂର୍ବରୁ ୩ଥର ଜେରାର ସମ୍ମୁଖୀନ ହୋଇସାରିଥବା ଜ୍ୟାକଲିନଙ୍କୁ ପୁଣି ହେବ ଜେରା । ଉଭୟ ଦିଲ୍ଲୀ ପୋଲିସ ଓ ଇଡି ଏହି ମାମଲାର ଯାଂଚ କରୁଛନ୍ତି । ଏହି ମାମଲାରେ ବୁଧବାର ଦିଲ୍ଲୀ ପଟିୟାଲା ହାଇକୋର୍ଟ ଶୁଣାଣୀ କରି ଉଭୟ ଯାଂଚ ଏଜେନ୍ସିଙ୍କୁ ଜ୍ୟାକଲିନ୍ଙ୍କୁ ଜେରା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ମାମଲାରେ ପ୍ରଥମେ ଦିଲ୍ଲୀ ପୋଲିସ ଏଫଆଇଆର ରୁଜୁ କରିଥିଲେ । ଏହି ମାମଲାରେ ଇଡି ମଧ୍ୟ ମନି ଲଣ୍ଡରିଂ ଯାଂଚ ଆରମ୍ଭ କରିଥିଲା । ରେନବେକ୍ସିର ର୍ପୂବ ପ୍ରମୋଟର ଶିବିନ୍ଦର ସିଂ ଓ ମାଲବିନ୍ଦର ସିଂଙ୍କୁ ଜେଲରୁ ବାହାର କରିବା ପାଇଁ ଉଭୟଙ୍କ ପତ୍ନୀଙ୍କଠୁ ୨୦୦ କୋଟିରୁ ଅଧିକ ଟଙ୍କା ନେଇଥିଲା ସୁକେଶ ଚନ୍ଦ୍ରଶେଖର । ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଗୃହ ମନ୍ତ୍ରାଳୟ ସହ ଜଡିତ ଅଧିକାରୀ ବୋଲି ପରିଚୟ ଦେଇ ଠକିଥିଲା ସୁକେଶ । ଏହି ଠକେଇରେ କେବଳ ସୁକେଶ ନୁହଁନ୍ତି, ତିହାର ଜେଲର ଅନେକ ଅଧିକାରୀ ବି ସାମିଲ ଥିଲେ । ସୁକେଶ ସେମାନଙ୍କୁ ମୋଟା ଅଙ୍କର ଟଙ୍କା ବି ଦେଉଥିଲେ । ୨୪ ଅଗଷ୍ଟରେ ଇଡି ସୁକେଶଙ୍କ ଚେହ୍ନାଇର ସି-ବିଚ୍ରେ ଥିବା ଏକ ବଙ୍ଗଳାକୁ ସିଜ୍ କରିଛି । ବଙ୍ଗାଳରୁ ୮୨ ଲକ୍ଷ ୫୦ ହଜାର ଟଙ୍କା ସହ ୨ କିଲୋ ସୁନା ଓ ୧୨ରୁ ଅଧିକ ଲର୍ଜରୀ କାର ଜବତ କରିଛି ଇଡି ।

୨୦୦ କୋଟି ଟଙ୍କା ଠକେଇ ମାମଲାରେ ଦିଲ୍ଲୀ ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ମାମଲାରେ ଦୀର୍ଘ ଦିନ ହେବ ତଦନ୍ତ ଚାଲିଛି । ପ୍ରଥମେ ଇଡି ଓ ଏବେ ଦିଲ୍ଲୀ ପୋଲିସ ଏହି ମାମଲାର ତଦନ୍ତ କରୁଥିବା ବେଳେ ସୁକେଶଙ୍କ ଟଙ୍କାରେ ଜ୍ୟାକଲିନ୍ ଓ ନୋରାଙ୍କୁ ଅନେକ ଦାମୀ ଗିପ୍ଟ ଦିଆଯାଇଛି । ତେବେ ଏହି ଘଟଣା ଆସିବା ପରେ ଇଡି ଓ ଦିଲ୍ଲୀ ପୋଲିସ ଶିକାରରେ ଛନ୍ଦି ହୋଇପଡିଛନ୍ତି ବଲିଉଡ ଦୁଇ ଅଭିନେତ୍ରୀ ନୋରା ଓ ଜ୍ୟାକଲିନ୍ ।