ବିହାର ନୀତିଶ ସରକାରର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ । ଆଉ ୧୭ ନେତା ପାଇଲେ ମନ୍ତ୍ରୀ ପଦ । ଶହନବାଜ୍ ହୁସେନଙ୍କୁ ଉଦ୍ୟୋଗ ବିଭାଗର ଦାୟିତ୍ୱ

164

କନକ ବ୍ୟୁରୋ: ବିହାରରେ ନୀତିଶ ସରକାର ନିଜର ମନ୍ତ୍ରୀମଣ୍ଡଳର ବିସ୍ତାର କରିଛି । ମଙ୍ଗଳବାର ଆଉ ୧୭ ଜଣ ନେତା ନୀତିଶ ସରକାରରେ ମନ୍ତ୍ରୀ ପଦ ପାଇବା ସହିତ ବିଭିନ୍ନ ବିଭାଗର ଦାୟିତ୍ୱ ସମ୍ଭାଳିବା ଆରମ୍ଭ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜେପି ନେତା ଶହନବାଜ୍ ହୁସେନଙ୍କୁ ନୀତିଶ ମନ୍ତ୍ରୀମଣ୍ଡଳରେ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଭାବେ ସାମିଲ କରାଯାଇଛି ।

ଆଜି ଶପଥ ଗ୍ରହଣ କରିଥିବା ୧୭ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୯ ଜଣ ବିଜେପିରୁ ହୋଇଥିବାବେଳେ ବାକି ୮ ଜଣ ଜେଡିୟୁର ବୋଲି ଜଣାପଡିଛି । ସେମାନଙ୍କ ଭିତରେ ଜେଡିୟୁ ନେତା ମଦନ ସହନୀଙ୍କୁ ସମାଜ କଲ୍ୟାଣ ବିଭାଗର ମନ୍ତ୍ରୀ, ସଂଜୟ ଝାଙ୍କୁ ଜଳ ସଂଶାଧନ ବିଭାଗ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଦାୟିତ୍ୱ ମିଳିଛି । ସେହିଭଳି ସୁଶାନ୍ତ ସିଂହ ରାଜପୁତଙ୍କ ଭାଇ ନୀରଜ କୁମାରଙ୍କୁ ପର୍ଯ୍ୟାବରଣ ବିଭାଗର ଦାୟିତ୍ୱ ଦିଆଯାଇଛି ।

ଗତ ବିଧାନସଭା ନିର୍ବାଚନରେ ବିହାରରେ ବିଜେପି ଓ ଜେଡିୟୁ ମେଣ୍ଟ ସଫଳତା ପାଇଥିଲା । ଏହାପରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ପୁଣି ଦାୟିତ୍ୱ ସମ୍ଭାଳିଥିଲେ । ସେତେବେଳେ ନୀତିଶଙ୍କ ସହ ୧୫ ଜଣ ମନ୍ତ୍ରୀ ଶପଥ ନେଇଥିଲେ । ଏବେ ବିହାରରେ ମନ୍ତ୍ରୀମଣ୍ଡଳର ବିସ୍ତାର ହେବା ସହିତ ଆଉ ୧୭ ଜଣ ନେତା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।