ଘୋଡାକୁ ବିଜେପି ରଙ୍ଗରେ ରଙ୍ଗୀନ କଲେ କର୍ମୀ, ଜ୍ୟୋତିରାଦିତ୍ୟଙ୍କ ଜନ ଆଶୀର୍ବାଦ ଯାତ୍ରାରେ ସାମିଲ କଲେ । ପଶୁଙ୍କ ପ୍ରତି ଅତ୍ୟାଚାର ହୋଇଥିବା ନେଇ ଥାନାରେ ମାମଲା ।

164

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଜନ ଆଶୀର୍ବାଦ ରାଲିକୁ ନେଇ ଏବେ ବିବାଦ ଦେଖାଦେଇଛି । ଏହି ରାଲିରେ ପଶୁଙ୍କ ପ୍ରତି କ୍ରୁରତା କରାଯାଇଥିବା ନେଇ ଇନ୍ଦୋର ଥାନାରେ ମାମଲା ଦାୟର ହୋଇଛି । ଜନ ଆଶୀର୍ବାଦ ଯାତ୍ରାରେ ବିଜେପି କର୍ମୀଙ୍କ ଭିତରେ ଏକ ଘୋଡା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । କାରଣ ଘୋଡାଟିକୁ ବିଜେପିର ପତାକା ରଙ୍ଗରେ ରଙ୍ଗୀନ କରାଯାଇଥିଲା । ଆଉ ଏହି ଘୋଡାକୁ ଛାବନୀ ନିର୍ବାଚନମଣ୍ଡଳୀରେ ହେଉଥିବା ବିଜେପିର ଜନ ଆଶୀର୍ବାଦ ଯାତ୍ରାରେ ଦେଖିବାକୁ ମିଳିଥିଲା । ସ୍ୱାଗତ କରିବାକୁ ହୋଇଥିବା ଦ୍ୱାର ପାଖରେ ଘୋଡାଟିକୁ ଛିଡା କରାଯାଇଥିଲା । ତେବେ ଘୋଡାକୁ ବିଜେପି ରଙ୍ଗରେ ରଙ୍ଗୀନ କରାଯାଇଥିବାର ଦେଖି କିଛି ଲୋକ ଅସନ୍ତୋଷ ପ୍ରକାଶ କରିଥିଲେ  । ଏପରିକି ଏଭଳି କରି ପଶୁଙ୍କ ପ୍ରତି କ୍ରୁରତା ବା ଅତ୍ୟାଚାର କରାଯାଉଥିବା ଅଭିଯୋଗ ଆଣିଥିଲେ ।

ଘୋଡାର ପିଠିରେ ବିଜେପିର ଚିହ୍ନ ପଦ୍ମ ଫୁଲ ଅଙ୍କା ଯାଇଥିଲା । ଏବଂ ଘୋଡାଟିକୁ ସମ୍ପୂର୍ଣ୍ଣ ରୂପେ ଗେରୁଆ ଓ ସବୁଜ ରଙ୍ଗରେ ରଙ୍ଗୀନ କରାଯାଇଥିଲା । ତେବେ ଏହି ଘଟଣାକୁ ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ମାନେକା ଗାନ୍ଧୀଙ୍କ ଏନଜିଓ ପିପୁଲ୍ସ ଫର ଆନିମଲ୍ସ ପକ୍ଷରୁ ଜୋରଦାର ବିରୋଧ କରାଯାଇଥିଲା । ଏପରିକି ଏଭଳି କରି ପଶୁଙ୍କ ପ୍ରତି ଅତ୍ୟାଚାର କରାଯାଉଥିବା ନେଇ ଉକ୍ତ ସଂସ୍ଥା ଅଭିଯୋଗ କରିଥିଲା । ଯାହାକୁ ନେଇ ଜନ ଆଶୀର୍ବାଦ ଯାତ୍ରା ସଂଚାଳକଙ୍କ ନାଁରେ ଥାନାରେ ମାମଲା ଦାୟର କରାଯାଇଛି ।

ବିଜେପି ପକ୍ଷରୁ ପୂରା ଦେଶରେ ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ବିବାଦ ଦେଖାଦେଇଛି । ଏହି ଯାତ୍ରା ସମୟରେ ଅନେକ ସ୍ଥାନରେ କୋଭିଡ ନିୟମର ଉଲ୍ଲଂଘନ ହୋଇଥିବା ନେଇ ଅଭିଯୋଗ ହେଉଛି । ଖାସକରି ମୁମ୍ବାଇରେ କୋଭିଡ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ବିଭିନ୍ନ ଥାନାରେ ୭ଟି ମାମଲା ଦାୟର କରାଯାଇଛି ।