ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଗିରଫ : ୧୨ ଘଣ୍ଟାର ମାରାଥନ ଜେରା ପରେ ଗିରଫ କଲା ଇଡି

175

କନକ ବ୍ୟୁରୋ : ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଗିରଫ । ମନି ଲଣ୍ଡରିଂ ମାମଲାରେ ୧୨ ଘଣ୍ଟା ଧରି ଅନୀଲ ଦେଶମୁଖଙ୍କୁ ପଚରାଉଚରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେ ସନ୍ତୋଷଜନକ ଉତର ନଦେଇ ପାରିବାରୁ ତାଙ୍କୁ ଗିରଫ କରାଯାଇଛି । ବହିଷ୍କୃତି ପୋଲିସ ଅଧିକାରୀ ସଚିନ୍ ୱାଜେଙ୍କ ସହ ସଂପୃକ୍ତି ଅଭିଯୋଗରେ ତାଙ୍କୁ ଗିରଫ କରିଛି ଇଡି । ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ । ପୂର୍ବରୁ ତାଙ୍କ ବ୍ୟକ୍ତିଗତ ସଚିବ ଓ ସହାୟକଙ୍କୁ ଗିରଫ କରାଯାଇଥିଲା । ମୁମ୍ବାଇ ପୋଲିସ କମିଶନର ଥିବା ପରମବୀର ସିଂହଙ୍କ ଏକ ଚିଠି ସାମ୍ନାକୁ ଆସିଥିଲା ।

ଏହି ଚିଠି ସେ ମୁଖମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଲେଖିଥିଲେ । ଏଥିରେ ସେ ଦାବି କରିଥିଲେ କି ଗୃହମନ୍ତ୍ରୀ ଥିବା ବେଳେ ପ୍ରତି ମାସରେ ସଚିନ୍ ୱାଜେଙ୍କୁ ୧୦୦ କୋଟି ଟଙ୍କା ମାଗୁଥିଲେ । ଏହା ସହ ପାଲିସ ଅଧିକାରୀଙ୍କୁ ବଦଳି ଓ ନିଯୁକ୍ତି ପାଇଁ ଅର୍ଥ ନେଉଥିବା ଦେଶମୁଖଙ୍କ ବିରୋଧରେ ଅଭିଯୋଗ ରହିଛି । ଇଡିର ଯାଂଚ ବେଳେ ଜଣାପଡ଼ିଥିଲା ଯେ ସଚିନ୍ ୱାଜେ ଅନେକ ବାରରୁ ୪ କୋଟି ୭୦ ଲକ୍ଷ ଟଙ୍କା ଆଦାୟ କରିଛନ୍ତି । ଏହି ଅର୍ଥ ଅନୀଲ ଦେଶମୁଖଙ୍କୁ ଦିଆଯାଇଥିଲା । ଏହି ମାମଲାରେ ତାଙ୍କୁ ହାଜର ପାଇଁ ବାରମ୍ବାର ସମନ କରାଯାଇଥିଲେ ବି ସେ ହାଜର ହୋଇନଥିଲେ । ଗତକାଲି ୧୧ଟା ୫୫ ମିନିଟରେ ସେ ଇଡିରେ ହାଜର ହୋଇଥିଲେ । ୧୨ ଘଣ୍ଟାର ପଚରାଉଚରା ପରେ ତାଙ୍କୁ ଗିରଫ କରିଛି ଇଡି ।