ଧୀରେ ଧୀରେ ଓଡ଼ିଶା ହାତରୁ ଖସୁଛି କୋଟିଆ : ଚାଲିଛି ଆନ୍ଧ୍ରର ରାଜୁତି, ସବୁ ଜାଣି ଅଜଣା ହେଉଛି ପ୍ରଶାସନ

31

କନକ ବ୍ୟୁରୋ : ବିବାଦୀୟ କୋଟିଆରେ ପୁଣି ଆନ୍ଧ୍ରର ରାଜୁତି । ଓଡ଼ିଶାର ନିଷ୍କ୍ରିୟତାର ଫାଇଦା ନେଇ ଆନ୍ଧ୍ରପ୍ରଦେଶ ଏଠାରେ ରାସ୍ତା କାମ ଆରମ୍ଭ କରିଛି । ଏହି ବାଟ ଦେଇ କୋଟିଆ ଧୀରେଧୀରେ ଓଡ଼ିଶା ହାତରୁ ଖସିଯିବାକୁ ବସିଥିବାବେଳେ ଜିଲ୍ଲା ପ୍ରଶାସନ ଚୁପ୍‌ ହୋଇ ବସି ରହିଛି । କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆ ଗ୍ରାମ ପଞ୍ଚାୟତ ଆନ୍ଧ୍ର ସୀମାରେ ରହିଛି । ସୀମାନ୍ତରେ ଥିବା ୨୧ଟି ଗାଁକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ୧୯୬୮ ମସିହାରୁ ବିବାଦ ଚାଲିଛି । ଏଥିନେଇ ସ୍ଥିତାବସ୍ଥା ବଜାୟ ରଖିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କୋଟିଆକୁ ନିଜ ଅକ୍ତିଆରକୁ ନେବା ପାଇଁ ଆନ୍ଧ୍ର ବାରମ୍ବାର ଉଦ୍ୟମ କରୁଛି ।

ଗତ ଜାନୁଆରୀ ୯ତାରିଖରେ ବିଜୟନଗରମର ଜିଲ୍ଲାପାଳ ଓ ତାଙ୍କର ଡଜନେ ଅଧିକାରୀ କୋଟିଆ ଅଂଚଳକୁ ଆସି ତାଙ୍କ ରାଜ୍ୟର ସରକାରୀ ସହାୟତା ବଣ୍ଟନ କରିଥିଲେ । ଖାଲି ଏତିକି ନୁହେଁ, ଏହି କୋଟିଆ ଅଂଚଳର ବିକାଶ ପାଇଁ ସରକାର ରୋଡ୍‌ମ୍ୟାପ ପ୍ରସ୍ତୁତ କରିଥିବା କହିଥିଲେ । କୋଟିଆ ଅଂଚଳକୁ ବିକଶିତ କରିବା ପାଇଁ ଆନ୍ଧ୍ର ସରକାର ଟଙ୍କା ବର୍ଷା କରିବେ ବୋଲି ପ୍ରତିଶ୍ରୁତି ଦେଇ ସେମାନେ ଫେରିବା ପରେ ଓଡ଼ିଶା ସରକାରଙ୍କ ନିଦ ଭାଙ୍ଗିଥିଲା । କୋଟିଆର ବିକାଶ ପାଇଁ ଜିଲ୍ଳା ପ୍ରଶାସନ ଅଣ୍ଟା ଭିଡିଥିଲା । ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ନିର୍ମାଣ ଓ ବିଦ୍ୟୁତୀକରଣ କରାଯାଇଥିଲା । ଓଡ଼ିଶା ସରକାର ମଧ୍ୟ ଏଥିରେ ମୁଣ୍ଡ ପୂରାଇଥିଲେ। ଉଚ୍ଚସ୍ତରୀୟ ଟିମ କୋଟିଆକୁ ପଠାଇ ସ୍ଥିତି ଅନୁଧ୍ୟାନ କରିଥିଲେ ।

କୋଟିଆର ସର୍ବାଙ୍ଗୀନ ବିକାଶ ପାଇଁ ସରକାର ଯୋଜନା ପରେ ଯୋଜନା ଘୋଷଣା କରିଥିଲେ। ଓଡ଼ିଶା ସରକାର ଏମିତି ଅନୁଧ୍ୟାନ ଓ ଯୋଜନାରେ ଅଟକି ଯାଇଥିଲାବେଳେ ଆନ୍ଧ୍ର ବିବାଦୀୟ କୋଟିଆରେ ଧସେଇ ପଶି ବିଭିନ୍ନ ନିର୍ମାଣ କାମ ଚଳାଇଛି । ଏହି କିଛି ଦିନ ହେଲା କୋଟିଆ ପଞ୍ଚାୟତର ଫାଟୁ ସିନେରୀ, ଫଗୁଣ ସିନେରୀ, ଦୋଳିଆମ୍ବ ଓ ସଲପଗୁଡାକୁ ରାସ୍ତା ନିର୍ମାଣ କରୁଛି ଆନ୍ଧ୍ର । ପାହାଡ କାଟି ଏହି ଗାଁ ଗୁଡିକୁ ରାସ୍ତା କରାଯାଉଛି। ରାସ୍ତା ନିର୍ମାଣରେ ବହୁ ମେସିନ ଲଗାଇ କାମକୁ ଜୋରଦାର କରିଛି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଏହି ୮କିଲୋ ମିଟର ରାସ୍ତା କାମ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲାବେଳେ ଓଡ଼ିଶା ସରକାର ଚୁପ ବସିଛି ।

ଏ ସମ୍ପର୍କରେ ଆମ କୋଟିଆ ସଂଗଠନର ଆବାହକ ତଥା ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା କହିଛନ୍ତି ଯେ, କୋଟିଆର ବିକାଶ ହେବ ହେବ କହି ଓଡ଼ିଶା ସରକାର ବସି ପଡିଛନ୍ତି। ଫଳରେ ଆନ୍ଧ୍ର ମାଡି ମାଡି ତା’ କାମ ଚଳାଇଛି । ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ମଧ୍ୟ ସମାନ କଥା ଦୋହରାଇଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶା ସରକାର କେବଳ ଯୋଜନା କରିଦେଲେ ହବନି। ତୃଣମୂଳ ସ୍ତରରେ କେମିତି ଠିକ ଭାବେ କାମ ହେବ ଏବଂ ଲୋକଙ୍କୁ ଏହାର ଫାଇଦା ମିଳିବ ସେ ଦିଗରେ ଧ୍ୟାନ ଦେବାକୁ ପଡିବ । ନ ହେଲେ ଓଡ଼ିଶା ହାତରୁ କୋଟିଆ ସବୁଦିନ ପାଇଁ ଖସିଯିବା ଅସମ୍ଭବ ନୁହେଁ ବୋଲି ପାଙ୍ଗୀ କହିଛନ୍ତି ।