ସୀମାନ୍ତବର୍ତୀ ଗଜପତି ଜିଲ୍ଲାରେ ସୀମା ଲଂଘିଲା ଆନ୍ଧ୍ର । ଖବର ସଂଗ୍ରହ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖାଇଲା ନାଲି ଆଖି, ଆନ୍ଧ୍ର ପୁଲିସ ଛଡାଇ ନେଲେ ମୋବାଇଲ୍ ଓ ଆଇଡେଂଟି କାର୍ଡ

ଆନ୍ଧ୍ର ପାଇଁ ଭୋଟ ଦେଉଛି ଓଡିଶା

475
କନକ ବ୍ୟୁରୋ : ଆନ୍ଧ୍ର ପାଇଁ ଭୋଟ ଦେଉଛି ଓଡିଶା । ଏତେ ସବୁ ବାଦବିବାଦ ଓ ଟଣଓଟରା ସତ୍ୱେ ଷଡଯନ୍ତ୍ରରୁ ଓହରି ନାହିଁ ପଡୋଶୀ । ମାମଲା ନ୍ୟାୟାଳୟଙ୍କ ପାଖରେ ବିଚାରଧିନ ଥିବାବେଳେ କଡା ସୁରକ୍ଷା ଭିତରେ ମତଦାନ ଚାଲିଛି । ଆଉ ଏସଂପର୍କୀତ ଖବର ସଂଗ୍ରହ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧମକ ଦେଉଛି ଆନ୍ଧ୍ର ପୁଲିସ ।
ଆନ୍ଧ୍ରପ୍ରଦେଶ –ଓଡିଶା ସୀମା ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଗଙ୍ଗାବାଡ ପଂଚାୟତରେ ଆନ୍ଧ୍ର ପକ୍ଷରୁ ପଂଚାୟତ ନିର୍ବାଚନ କରାଯାଉଛି । ଆଉ ଏ ସଂପର୍କୀତ ଖବର ସଂଗ୍ରହ ବେଳେ କନକ ନ୍ୟୁଜର ଗଜପତି ଜିଲ୍ଲା ପ୍ରତିନିଧି ସୀତାନାଥ ପଣ୍ଡାଙ୍କୁ ଅଟକ ରଖିଥିଲା ଆନ୍ଧ୍ର ପୁଲିସ । କାହିଁକି ଆନ୍ଧ୍ର ସୀମାରେ ପଶି ଖବର ସଂଗ୍ରହ କରୁଛ ବୋଲି କହି ଦାଦାଗିରି ଦେଖାଇଥିଲା ପଡୋଶୀ ପୁଲିସ । କେବଳ ଏତିକି ନୁହେଁ ତାଙ୍କ ଠାରୁ ମୋବାଇଲ ଓ ଆଇଡି କାର୍ଡ ଛଡାଇ ନେଇଥିଲେ । ଆନ୍ଧ୍ର ଅଧିକାରୀ ଓଡିଶା ଲୋକଙ୍କୁ ପ୍ରଲୋଭନ ଦେଖାଉଥିବା ବେଳେ ମୋବାଇଲରେ ସୁଟ୍ ହୋଇଥିବା ସମସ୍ତ ଭିଡିଓକୁ ଡିଲିଟ୍ କରି ଦେଇଛନ୍ତି ଆନ୍ଧ୍ର ପୁଲିସ । ଏବଂ ଆନ୍ଧ୍ର ସୀମାରୁ ବାହାରି ଯିବାକୁ କହି ଗିରଫଦାରୀର ଧମକ ଦେଖାଇଛି ପୁଲିସ । ଆନ୍ଧ୍ରସୀମାକୁ ଲାଗି ରହିଛି ଗଜପତି ଗଙ୍ଗାବାଡ଼ ପଂଚାୟତ ଏକାଧିକ ଗାଁ । ସେହି ଗାଁ ଗୁଡିକୁ ଆନ୍ଧ୍ର ନିଜର ବୋଲି ଦାବି କରୁଛି । ଏଠାକାର ଲୋକଙ୍କ ପାଖରେ  ଓଡିଶାର ଭୋଟର ଆଇଡି କାର୍ଡ ଥିବା ବେଳେ ଆନ୍ଧ୍ରପ୍ରଦେଶ ଆନ୍ଧ୍ର ସାବା କୋଟା ପଂଚାୟତ ଭୋଟର ତାଲିକାରେ ଏମାନଙ୍କୁ ସାମିଲ କରାଯାଇଛି  । ମାଣିକପାଟଣା ଗାଁ ଜଣେ ମହିଳା ଆନ୍ଧ୍ର ପଂଚାୟତ ର୍ନିବାଚନରେ ସାବା ପଂଚାୟତର ୱାର୍ଡର ସଭ୍ୟ ଭାବରେ ଅଂଶ ଗ୍ରହଣ କରିଛନ୍ତି । ସୀମାକୁ ନେଇ ବିବାଦ ବର୍ଷ ବର୍ଷ ଧରି ଲାଗି ରହିଥିବା ୨ ରାଜ୍ୟର ପରିଚୟ ପତ୍ର ରହିଛି ଲୋକଙ୍କ ପାଖରେ ରହିଛି ।