ଓଡ଼ିଶାରେ ଆନ୍ଧ୍ରର ନିର୍ବାଚନକୁ ନେଇ ଘନଉଛି ବିବାଦ : ୧୫ ଜଣଙ୍କ ନାମାଙ୍କନ ପରେ ଆନ୍ଧ୍ର କରୁଛି ନିର୍ବାଚନର ଜୋରଦାର ପ୍ରସ୍ତୁତି

111

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶ ସରକାର ଓଡ଼ିଶା ଅନ୍ତର୍ଗତ କୋଟିଆ ଅଂଚଳରେ ପଂଚାୟତ ନିର୍ବାଚନ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଠିକ୍ ଏମିତି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କୋରାପୁଟ ଜିଲ୍ଲା ପଟାଙ୍ଗୀ ଅନ୍ତର୍ଗତ କୋଟିଆ ପଂଚାୟତର ବିକାଶ ରାସ୍ତା ଖୋଲିଛନ୍ତି । କୋଟିଆ ପଂଚାୟତକୁ ଆଦର୍ଶ ପଂଚାୟତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହିତ ଖୁବ ଶୀଘ୍ର ସେ ନିଜେ କୋଟିଆ ଯିବେ ବୋଲି ସୂଚନା ଦେଇଛନ୍ତି ।

ତେବେ କୋଟିଆ ଅଂଚଳରେ ଆନ୍ଧ୍ର ପ୍ରଦେଶ ସରକାର ଜବରଦଖଲ ଏବଂ ସ୍ଥାନୀୟ ଅଂଚଳରେ ନିର୍ବାଚନକୁ ନେଇ ସମଗ୍ର ରାଜ୍ୟରେ ଯେଉଁ ବିତର୍କ ମୁଣ୍ଡ ଟେକିଛି ସେ ସଂପର୍କରେ କିଛି ବି କହିନଥିଲା । ଭିଡ଼ିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କୋଟିଆ ପଂଚାୟତରେ ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଶୁଭାରମ୍ଭ କରିଥିଲେ । ଏଥିରେ ୧୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରାଯାଇଥିଲା ଓ ୫ କୋଟି ଟଙ୍କାର ଗୋଟିଏ ଜଳସେତୁ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ଏହି ପଂଚାୟତରେ ଏବେ ୧୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାମ ଜାରି ରହିଛି ।

ସେପଟେ କିନ୍ତୁ ବଢ଼ିଚାଲିଛି ଆନ୍ଧ୍ରର ମନମାନି । କୋଟିଆ ପରେ ଗଂଜାମ ଜିଲ୍ଲାର ପାତ୍ରପୁର ବ୍ଲକ ଡୁମ୍ବା ପଂଚାୟତର ଦୁଇଟି ଗାଁ କୁଲାଡ଼ି ଓ ବାଂଜୁଆ ସାହି ଉପରେ ପଡ଼ୋଶୀ ଆନ୍ଧ୍ର ହାକିମାତ ଚଳାଇଛି । ଆନ୍ଧ୍ରରେ ପଂଚାୟତ ନିର୍ବାଚନରେ ଗଂଜାମର ଏହି ଦୁଇ ଗାଁକୁ ସାମିଲ କରାଯାଇଛି । ଏପରିକି ଏହି ଗାଁ ୨ଟିକୁ ଆନ୍ଧ୍ର ତାର ମଂଜୁଷା ମଣ୍ଡଳ ତାଳଗୁରାଣ୍ଡି ପଂଚ୍ରାତର ୱାଡ଼ ନଂ ୯ ଦର୍ଶାଯାଇଛି ।