କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶ ସରକାରଙ୍କ ତରଫରୁ ଏକ ବଡ ଘୋଷଣା କରାଯାଇଛି । ସରକାରଙ୍କ ତରଫରୁ କୁହାଯାଇଛି ଯେ ରାଜ୍ୟର ପ୍ରତିଟି ଗ୍ରାମରେ ଏବେ ଗୋଟିଏ ଗୋଟିଏ ମନ୍ଦିର ନିର୍ମାଣ କରାଯିବ । ଆନ୍ଧ୍ର ପ୍ରଦେଶ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଥିବା କୋଟ୍ଟୁ ସତ୍ୟନାରାୟଣ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ନିର୍ଦ୍ଦେଶ ମୁତାବକ ହିନ୍ଦୁ ଧର୍ମର ରକ୍ଷା ଓ ପ୍ରଚାର ପ୍ରସାର ପାଇଁ ପ୍ରତି ଗ୍ରାମରେ ଏବେ ମନ୍ଦିର ନିର୍ମାଣ କରାଯିବ ।

Advertisment

ଉପ ମୁଖ୍ୟମନ୍ତ୍ରୀ ସହ ସଂସ୍କୃତି ବିଭାଗର କାର୍ଯ୍ୟଭାର ସମ୍ଭାଳୁଥିବା କୋଟ୍ଟୁ ସତ୍ୟନାରାୟଣ ମଙ୍ଗଳବାର ଦିନ କହିଛନ୍ତି ଯେ ରାଜ୍ୟର ଦୁର୍ବଳ ଶ୍ରେଣୀର ଲୋକମାନେ ଯେଉଁ ଗ୍ରାମରେ ଅଧିକ ରହୁଛନ୍ତି ସେହି ସବୁ ଗ୍ରାମରେ ଏବେ ହିନ୍ଦୁ ଧର୍ମର ରକ୍ଷା ପାଇଁ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

ସେପଟେ ମନ୍ଦିର ନିର୍ମାଣ ପାଇଁ ତିରୁମାଲା ତିରୁପତି ଦେବସ୍ଥ୍ୟାନମର ଶ୍ରୀବାଣୀ ଟ୍ରଷ୍ଟକୁ ଏହିସବୁ ମନ୍ଦିର ନିର୍ମାଣ ପାଇଁ ଠିକା ଦିଆଯାଇଛି । ପ୍ରତ୍ୟେକ ମନ୍ଦିର ପାଇଁ ସରକାର ଏହି ଟ୍ରଷ୍ଟକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିବା କଥା ଉପ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ପ୍ରଥମେ ରାଜ୍ୟରେ ୧୩୩୦ଟି ମନ୍ଦିର ନିର୍ମାଣ ପାଇଁ ଯୋଜନା କରାଯାଇଥିବା ବେଳେ ଏବେ ତା ସହିତ ୧୪୬୫ଟି ମନ୍ଦିର ଯୋଡା ଯାଇଛି । ଏହା ବ୍ୟତୀତ କିଛି ବିଧାୟକଙ୍କ ପରାମର୍ଶ ମୁତାବକ ୨୦୦ ମନ୍ଦିର ନିର୍ମାଣ କରାଯିବ ।

ସେପଟେ କିଛି ମନ୍ଦିରର ପୁନଃନିର୍ମାଣ ଓ କିଛି ମନ୍ଦିର ଅନୁଷ୍ଠାନ ପାଇଁ ସରକାର ୨୭୦ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଛନ୍ତି । ଏହାରି ମଧ୍ୟରେ ୨୩୮ କୋଟି ଟଙ୍କା ଜାରି କରାଯାଇଛି । ଏହାସହ ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଥିବା ପ୍ରତିଟି ମନ୍ଦିରରେ ଧୂପ, ଦୀପ ଓ ଭୋଗ ପାଇଁ ୫୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଏନେଇ ସରକାର ୨୮ କୋଟି ଟଙ୍କାର ବଜେଟ କରିଥିଲେ ଓ ଏଥିମଧ୍ୟରୁ ୧୫ କୋଟି ଟଙ୍କା ଖର୍ଚ୍ଚ ସରିଛି ।