କୋଟିଆକୁ ନିଜର କରିବା ପାଇଁ ଆନ୍ଧ୍ରର ଚେଷ୍ଟା ଜାରି ରହିଛି : ବିବାଦ ଭିତରେ ନେରାଡ଼ିବାଲସା ପରିଦର୍ଶନ କଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ

73

କନକ ବ୍ୟୁରୋ : ବିବାଦୀୟ ଅଞ୍ଚଳ କୋଟିଆର ନେରାଡ଼ିବାଲସା ପରିଦର୍ଶନ କଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ । ପାର୍ବତୀପୁରମ ମାନ୍ୟମ ଜିଲ୍ଲା ହେବା ପରେ କୋଟିଆକୁ ନିଜର କରିବା ପାଇଁ ଆନ୍ଧ୍ର ପ୍ରାଣ ପଣେ ଚେଷ୍ଟା ଜାରି ରଖିଛି । କୋରାପୁଟ ପ୍ରଶାସନକୁ ବିଭିନ୍ନ ସମୟରେ ଚକମା ଦେଇ ଅନୁପ୍ରବେଶ କରି କୋଟିଆବାସୀଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରୁଛି ଆନ୍ଧ୍ର । ରବିବାର ବିବାଦୀୟ କୋଟିଆ ପଞ୍ଚାୟତର ୨୧ ଖଣ୍ଡ ଗାଁରେ ଥିବା ନେରାଡ଼ିବାଳସା ନିକଟସ୍ଥ ଗାଁ ତାଡ଼ିବାଳସାରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନନା ଦୋରା ପରିଦର୍ଶନ କରିଛନ୍ତି ।

ଜଗନ ସରକାରଙ୍କ ଦ୍ୱାରା ଦିଆଯାଉଥିବା ନବରତ୍ନ ଯୋଜନାର କିପରି ଲାଭ ଉଠାଇପାରିବେ ସେନେଇ ଘର ଘର ବୁଲି ଲୋକଙ୍କୁ ବୁଝାଇଥିଲେ । ନେରାଡ଼ିବଳସା ଠାରେ ଆଦିବାସୀଙ୍କ ପାଇଁ ହେଉଥିବା ହାଟ ନିର୍ମାଣର ନୂତନ ଘର ବଣ୍ଟନ ହେବ ବୋଲି ସେ କହିଛନ୍ତି । ତଳ ଗଞ୍ଜେଇପଦର ଠାରେ ଆନ୍ଧ୍ର ତରଫରୁ ୱାଇଏସଆର ବୀମା କାର୍ଡ଼ରେ ଲୋକଙ୍କୁ ସାମିଲ କରିବା ପାଇଁ ଗ୍ରାମବାସୀଙ୍କ ଆଧାର କାର୍ଡ଼, ଭୋଟ କାର୍ଡ଼ ଓ ରାସନ କାର୍ଡ଼କୁ ନେଇ ସାମିଲ କରିଥିଲେ ।

ଏହି ବୀମାରେ ସମ୍ପୃକ୍ତ ଥିବା କୌଣସି ବ୍ୟକ୍ତି ମୃତ୍ୟୁ ବରଣ କଲେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ରହିଛି । ଆଗରୁ ଆନ୍ଧ୍ର ଏଜେଣ୍ଟ ମାନେ କୋଟିଆରେ ଏହି ସମସ୍ତ କାମ କରୁଥିଲେ । ଯାହକୁ ନେଇ ଓଡ଼ିଶାବାସୀ ଏହାକୁ ବିରୋଧ କରୁଥିଲେ । ଏଥର ନୂଆ ଚାଲ ଖେଳୁଛି ଆନ୍ଧ୍ର । କୋଟିଆର ୨୧ଟି ଗାଁର ୧୬ଜଣ ଶିକ୍ଷିତ ପିଲାଙ୍କୁ ମାସିକ ୫ହଜାର ଦେଇ ଆନ୍ଧ୍ର ନିଜର ଏଜେଣ୍ଟ ସଜାଇ କୋଟିଆରେ କରୁଛି ୱାଇଏସଆର ବୀମା ଯୋଜନା ।