କନକ ବ୍ୟୁରୋ: ଗୋଟିଏ ପଟେ ଭୂମିର ଭୋକିଲା ପଡୋଶୀ, ଅନ୍ୟପଟେ ନିଦାବିଷ୍ଣୁ ଓଡିଶା ସରକାର । ସୀମାନ୍ତବର୍ତୀ ଅଞ୍ଚଳକୁ ଦଖଲ କରିବାକୁ ସବୁ ବେଳେ ଚକ୍ରାନ୍ତ କରୁଥିବା ଆନ୍ଧ୍ର ଅଧିକାରୀ ଏବେ ଓଡିଶା କେନାଲ ସଫା କରିଛନ୍ତି । ଗଜପତି ଗୋଷାଣୀ ବ୍ଲକ ଅନ୍ତର୍ଗତ ଜଙ୍ଗଲପାଢୁ ଗାଁ ଦେଇ ଆନ୍ଧ୍ର ମୁହାଁ ହୋଇଥିବା କୃଷ୍ଣସାଗର କେନାଲ ସଫା କରିଛନ୍ତି ଆନ୍ଧ୍ର ଅଧିକାରୀ ଓ ଚାଷୀ । ଓଡିଶାର କ୍ଷୁଦ୍ର ଜଳ ସେଚନ ବିଭାଗ କେନାଲ ସଫା ହେବା ପରେ ଉପକୃତ ହେଉଛନ୍ତି ଉଭୟ ରାଜ୍ୟର ଚାଷୀ ।

Advertisment
  • ଓଡିଶା ଦଖଲ ପାଇଁ ଆନ୍ଧ୍ରର ଯୋଜନାବଦ୍ଧ ଷଡଯନ୍ତ୍ର
  • କେନାଲ ସଫା କରୁଛନ୍ତି ଆନ୍ଧ୍ର ଅଧିକାରୀ ଓ ଚାଷୀ

ସେପଟେ ଗଜପତିରେ କେନାଲ ସଫା ପାଇଁ ପ୍ରତିବର୍ଷ ରାଜ୍ୟ ସରକାରଙ୍କ ଜଳ ସେଚନ ବିଭାଗ ପକ୍ଷରୁ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି । କୃଷ୍ଣସାଗର କେନାଲ ପାଇଁ ୧୧ ଲକ୍ଷ ଓ ମହେନ୍ଦ୍ର ତନୟା ଶାଖା କେନାଲ ପାଇଁ ୧୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ସରକାରୀ ସ୍ତରରେ କୁହାଯାଇଛି । କେନାଲ ସଫା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି, ହେଲେ କେନାଲ ଦେଇ ଚାଷ ଜମିରେ ପହଂଚି ପାରୁନାହିଁ ପାଣି । ଗୋଷାଣୀ ବ୍ଲକର ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେନାଲ ସମସ୍ୟା ନେଇ ବିଭାଗୀୟ କର୍ତୃପକ୍ଷଙ୍କୁ ଜଣାଇଲେ ବି କେହି ଶୁଣୁନଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଆନ୍ଧ୍ର ଚାଷୀ ଓ ଅଧିକାରୀ ଗଜପତିରେ କେନାଲ ଓ ଜଙ୍ଗଲ ସଫା କରିବା କିଛି ନୂଆ କଥା ନୁହେଁ । ୩୦ରୁ ୪୦ ବର୍ଷ ହେବ ଆନ୍ଧ୍ର ଅଧିକାରୀ ଓ ଚାଷୀ ଏହିଭଳି ଭାବେ ଓଡିଶା କେନାଲ ସଫା କରୁଥିବା ଜଙ୍ଗଲପାଢୁ ଗ୍ରାମବାସୀ କହିଛନ୍ତି । ସେପଟେ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବାକୁ ମନା କରିଦେଇଛନ୍ତି ।