କନକ ବ୍ୟୁରୋ: ସାମାନ୍ୟ ବର୍ଷାରେ ଭାସୁଛି ଭୁବନେଶ୍ୱର । ଏ ନେଇ ବାରମ୍ବାର ବିଚାରବିମର୍ଷ ଓ ଆଲୋଚନା ହେବା ପରେ ବି ସୁଧୁରୁନି ସ୍ଥିତି । ସ୍ଥିତି ତ ସୁଧୁରୁନି, ବରଂ ଆଜି ଖରାବେଳେ ସାମାନ୍ୟ ବର୍ଷାରେ ଡ୍ରେନରେ ଭାସିଯାଇ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ୱରରେ ୟୁନିଟ-୩ ଅଂଚଳର ମସଜିଦ କଲୋନୀରେ ଘଟିଛି ଏଭଳି ଘଟଣା । କିଭଳି ପରିସ୍ଥିତିରେ ନାବାଳକ ଜଣକ ଡ୍ରେନରେ ଭାସିଗଲେ ତାହା ବଡ ପ୍ରଶ୍ନ ସୃଷ୍ଟି କରିଛି । ବିଏମସି ଘଟଣାରେ ଦୋଷ ଝାଡିବାକୁ ଉଦ୍ୟମ କରିଛି । ପ୍ରଶ୍ନ ଉଠୁଛି, ସାମାନ୍ୟ ବର୍ଷାରେ ନାବାଳକର ମୃତ୍ୟୁ ପାଇଁ ଦାୟୀ କିଏ ?

Advertisment

ଅସରାଏ ବର୍ଷାରେ ବେହାଲ୍ ଅବସ୍ଥାକୁ ଚାଲି ଆସୁଥିବା ଭୁବନେଶ୍ୱରର ସହରରେ ଛୋଟ ପିଲାଟିଏ ଭାସି ଯିବା, ସାରା ରାଜ୍ୟର ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି । ସହରବାସୀଙ୍କ କାନ୍ଧରେ କୁନି ଶିଶୁର ଶବ, ବ୍ୟବସ୍ଥାର ବୋଝ ବେହିବା ପରି ଲାଗୁଛି । ପିଲାଟି କିଛି ଘଂଟାର ଅପରେସନ୍ ପରେ ଉଦ୍ଧାର ହୋଇଛି ସତ । କିନ୍ତୁ ମୁକୁଳା ନାଳରେ ପଡ଼ି ନାବାଳକର ପ୍ରାଣ ବାୟୁ ଉଡ଼ିଯାଇଛି । ଆଉ ବ୍ୟବସ୍ଥା ନିଜ ମୁଣ୍ଡ ଉପରୁ ଦୋଷ ଛଡ଼ାଇ ଦେଉଛି ।

ଭୁବନେଶ୍ୱର ଲକ୍ଷ୍ମୀସାଗର ୟୁନିଟ୍-୩ ମସଜିଦ୍ କଲୋନୀର ପିଲାଟିଏ । ନାଁ ଏସକେ ରାଜେଶ୍ । ବୟସ ୧୦ରୁ ୧୧ ବର୍ଷ । ସମୟ ଦିନ ପ୍ରାୟ ୨ଟାରୁ ଅଢ଼େଇଟା ହେବ । ପିଲାଟି ଖାଇବାକୁ ମାଗୁଥିଲା । ହେଲେ ଠିକ୍ ସମୟରେ ବର୍ଷା ଯୋଗୁଁ ଉଜୁଡ଼ା ଘରର ଅବସ୍ଥାକୁ ସଜାଡ଼ିବାକୁ ଟିକେ ଅପେକ୍ଷା କରିବାକୁ କହିଥିଲେ ମା’ । ଏହି ସମୟରେ ନାଳ ପାଣିରେ ଭାସି ଆସୁଥିବା ବେଲୁନ୍ ପଛରେ ଗୋଡ଼େଇ ଥିଲା । ଆଉ ବେଲୁନ୍ ଧରୁ ଧରୁ ନାଳରେ ପଡ଼ି ଯାଇ, ଭାସି ଯାଇଥିଲା ଏସକେ ରାଜେଶ୍ । ।

ବିଜୁଳି ବେଗରେ ବ୍ୟାପିଗଲା ଖବର । ପିଲାକୁ ଖୋଜିବା ପାଇଁ ଅଗ୍ନିଶମ ବିଭାଗକୁ ଖବର ଦିଆଗଲା । ତୁରନ୍ତ ଅଗ୍ନିଶମ କର୍ମଚାରୀ ଆସି କିଛି ଘଂଟା ଭିତରେ ପିଲାଟିକୁ ଉଦ୍ଧାର କରିଥିଲେ ସତ । ହେଲେ ପିଲାଟିର ଅବସ୍ଥା ସଂକଟାପନ୍ନ ଥିବାରୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା । ହେଲେ ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା ।

ଗୋଟିଏ ଘଂଟାର ବର୍ଷାରେ ଚାଲିଗଲା ଜଣେ ନିଷ୍ପାପ ପିଲାର ଜୀବନ ।
କିଏ ରହିବ ଉତ୍ତରଦାୟୀ?
ବର୍ଷ ବର୍ଷ ଧରି ଡ୍ରେନ୍କୁ ମୁକୁଳା ଛାଡ଼ି ଦେଇଥିବା ପ୍ରଶାସନ?
ନା’ ବାଃ ବାଃ ସାଉଁଟୁଥିବା ବାବୁ?

ସବୁ ପ୍ରଶ୍ନର ଉତର ଦେବାକୁ ପଡ଼ିବ । ଦେଖାଯିବ, କାରଣ ଖୋଜାଯିବ, କାର୍ଯ୍ୟାନୁଷ୍ଠାନ ନିଆଯିବ । ସେସବୁ ଆଉ ଚଳିବନି । ନହେଲେ ସେଦିନ ମ୍ୟାନହୋଲରେ ପଡ଼ି ଯାଇଥିଲା ମଣିଷ, ଆଜି ପିଲାଟିଏ ନାଳରେ ପଡ଼ି ଆଖିବୁଜି ଦେଲା । ଆସନ୍ତାକାଲି କ’ଣ ଆଉ ଗୋଟିଏ ଜୀବନ ଯିବାକୁ ଅପେକ୍ଷା କରିବ ବିଏମ୍ସି?