ବଳଦ ସ୍ଥାନରେ ମଣିଷ କାନ୍ଧରେ ପଡ଼ିଲା ଜୁଆଳି । ଗଜପତି ସୀତାପୁର ଗାଁରୁ ଆସିଲା ଅଭାବନୀୟ ଚିତ୍ର । ବଳଦ ନାହିଁ କି ଟ୍ରାକ୍ଟରରେ ହଳ କରିବାକୁ ପାଖରେ ନାହିଁ ପଇସା

224

କନକ ବ୍ୟୁରୋ: ଜମିରେ ହଳ ଚାଲିଛି, ଲଙ୍ଗଳ ବି ଗଡ଼ୁଛି । ହେଲେ ବଳଦ ନାହାନ୍ତି, ବଳଦ ଜାଗାରେ ମଣିଷ ଟାଣୁଛନ୍ତି ଲଙ୍ଗଳ । ଏପରି ଅଭାବନୀୟ ଦୃଶ୍ୟ ଆସିଛି ଗଜପତି ଜିଲ୍ଲା କାଶୀନଗର ବ୍ଳକ ସୀତାପୁର ଗାଁରୁ । କାନ୍ଧରେ ଜୁଆଳି ଟାଣି ନିଜେ ବିଲରେ ହଳ କରୁଛନ୍ତି ଦୁଇ ଚାଷୀ । ପାଖରେ ବଳଦ ନାହିଁ କି ଟ୍ରାକ୍ଟରରେ ହଳ କରିବାକୁ ପାଖରେ ଅର୍ଥ ନାହିଁ ।

ଶେଷରେ ବାଧ୍ୟ ହୋଇ ନିଜେ କାନ୍ଧରେ ଟାଣି ଟାଣି ହଳ କରୁଛନ୍ତି ଏହି ଦୁଇ ଚାଷୀ ଭାଗିରଥୀ ସରଙ୍ଗ ଓ ସନ୍ତୋଷ କଳିଙ୍ଗ । ସେମାନେ ଏଥର ଦୁଇ ଏକର ଭାଗ ଚାଷ କରୁଛନ୍ତି । ହେଲେ ଚାଷ କେମିତି କରିବେ ? ପାଖରେ ପଇସା ନାହିଁ । କରୋନା ସ୍ଥିତି ଯୋଗୁଁ ଆର୍ଥିକ ଅବସ୍ଥା ଏକଦମ ଖରାପ ହୋଇପଡ଼ିଛି ।

ଶେଷରେ ବାଧ୍ୟ ହୋଇ ଏପରି ଉପାୟରେ ଜମିରେ ହଳ କରୁଛନ୍ତି । ତେବେ ଏପରି ଖବର ପହଂଚିବା ପରେ ଆବଶ୍ୟକ ସହାୟତା ପହଂଚାଯିବ ବୋଲି କହିଛନ୍ତି ଜିଲ୍ଲା କୃଷି ଅଧିକାରୀ ।