କେନ୍ଦ୍ରର ଆଇଏଏସ କ୍ୟାଡର ରୁଲ ସଂଶୋଧନ ପ୍ରସ୍ତାବକୁ ଓଡ଼ିଶାର ବିରୋଧ : ବିଜେଡି ସାଂସଦ କହିଲେ, ଡେପୁଟେସନ ପାଇଁ ବାଧ୍ୟ କରାଯିବା ଅନୁଚିତ

ଅଫିସରଙ୍କ ସମ୍ମତି ନେବା ସପକ୍ଷରେ ଓଡ଼ିଶା ସରକାର

153

କନକ ବ୍ୟୁରୋ : କେନ୍ଦ୍ରର ଆଇଏଏସ କ୍ୟାଡର ରୁଲ ସଂଶୋଧନ ପ୍ରସ୍ତାବକୁ ବିରୋଧ କରିଛି ଓଡିଶା । ବିଜେଡି ସାଂସଦ ଅମର ପଟ୍ଟନାୟକ ଏନେଇ ଟ୍ୱିଟ କରି ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ତାଙ୍କ କହିବା ହେଲା କେନ୍ଦ୍ରୀୟ ଡେପୁଟସନରେ ପଠାଯାଇବାକୁ ହେଲେ ସେମାନଙ୍କ ସମ୍ମତି ଜରୁରୀ, ସେମାନଙ୍କୁ ଏଥିପାଇଁ ବାଧ୍ୟ କରା ଯାଇପାରିବ ନାହିଁ । ଯଦିଓ ଏହା ତାଙ୍କର ବ୍ୟକ୍ତିଗତ ମତ ବୋଲି ସେ ଉଲ୍ଲେଖ କରିଛନ୍ତି, କିନ୍ତୁ ଓଡିଶା ସରକାର ମଧ୍ୟ ସମାନ ଆଭିମୁଖ୍ୟ ରଖି କେନ୍ଦ୍ରକୁ ଚିଠିଲେଖି ଆପତି କରିଥିବା ଜଣାପଡିଛି ।

ଭାରତୀୟ ପ୍ରାଶାସନିକ ସେବା- ଆଇଏଏସ କ୍ୟାଡର ରୁଲ ୧୯୫୪ରେ ସଂଶୋଧନ କରିବାକୁ ଚାହୁଁଛନ୍ତି ମୋଦୀ ସରକାର । ଫଳରେ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ଆଏଏସ ଅଧିକାରୀମାନଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଅବସ୍ଥାପିତ କରିହେବ । ମିଳିଥିବା ସୂଚନା ଅନୁସାରେ ଆଇଏଏସ କ୍ୟାଡର ରୁଲ ୧୯୫୪ର ରୁଲ ୬ରେ କେନ୍ଦ୍ର ସରକାର ଏକ ନିୟମ ଯୋଡିବାକୁ ଚାହୁଁଛନ୍ତି । ଫଳରେ ରାଜ୍ୟ ସରକାରଙ୍କ ସହ ଥିବା ଯୁଗ୍ମ ଅଧିକାର ବଳରେ କେନ୍ଦ୍ର ସରକାର ଯେକୌଣସି ସମୟରେ ଆଇଏଏସ ଅଫିସରମାନଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଇ ପାରିବେ ।

ପୂର୍ବରୁ ଏଥିପାଇଁ ରାଜ୍ୟର ଅନୁମତି ଓ ସଂପୃକ୍ତ ଆଇଏଏସ ଅଧିକାରୀଙ୍କ ସମ୍ମିତ ଆବଶ୍ୟକ ହେଉଥିଲା । ହେଲେ କେନ୍ଦ୍ର ସରକାର ଯେଉଁ ସଂଶୋଧନ ଆଣିବାକୁ ଚାହୁଁଛନ୍ତି, ତାହା ସମ୍ବିଧାନର ସଂଘୀୟ ମୌଳିକତାକୁ ନଷ୍ଟ କରୁଛି ବୋଲି କହି ଆପତି ଉଠାଇଛନ୍ତି ପଶ୍ଚିମବଙ୍ଗ ସମେତ ଏକାଧିକ ରାଜ୍ୟ । ଓଡିଶା ସମେତ ପଶ୍ଚିମବଙ୍ଗ, ରାଜସ୍ଥାନ ଓ ଛତିଶଗଡ ଭଳି ଅଣବିଜେପି ରାଜ୍ୟ ଓ ଏନଡିଏ ଶାସିତ ରାଜ୍ୟ ମଧ୍ୟପ୍ରଦେଶ, ବିହାର ଓ ମେଘାଳୟ ମଧ୍ୟ ଏହି ପ୍ରସ୍ତାବକୁ ବିରୋଧ କରିଛନ୍ତି ।