ଅପାଠୁଆ କାମେଶ୍ୱରଙ୍କ ପାଠ କାରଖାନା…କେବେ ସ୍କୁଲ ଛାଡିଥିଲ ଏବେ ସାଉଁଂଟି ନେଉଛନ୍ତି ଗରିବ ଛାତ୍ରଛାତ୍ରୀ..୧୭ ବର୍ଷ ହେଲା ପେଟରୁ କାଟି ପିଲାଙ୍କୁ ପଢାଉଛନ୍ତି ପାଠ

503

କନକ ବ୍ୟୁରୋ: ଦିନେ ଅଭାବ ଅସୁବିଧା ଯୋଗୁଁ ଅଧାରୁ ପାଠ ଛାଡିବାକୁ ବାଧ୍ୟ ହୋଇଥିଲେ ନିଜେ । ଏବେ କିନ୍ତୁ ଗରିବ ପିଲାଙ୍କ ପାଠପଢାରେ ସାହାଯ୍ୟ କରି ନିଜକୁ କରିଦେଇଛନ୍ତି ସମର୍ପିତ । ଏଭଳି ବ୍ୟକ୍ତି ଜଣକ ହେଉଛନ୍ତି କାଶୀପୁର ବ୍ଲକ୍ ଟିକିରି ସୁନାମୁଦି ସାହିର କାମେଶ୍ୱର ସାହୁ ।

କାମେଶ୍ୱର ତାଙ୍କର ଏହି ସେବା ପାଇଁ କାହା ପାଖରେ ନା ତ ହାତ ପତାଉଛନ୍ତି ନା ହିଁ ସେବା ସମ୍ମାନ ପାଇଁ ଲାଳାୟିତ ଅଛନ୍ତି । ଟିକିରି ମୁଖ୍ୟ ରାସ୍ତା ପାଶ୍ୱର୍ରେ ଏକ ଛୋଟିଆ ଚା ଦୋକାନ ଖୋଲି ଯାହା କିଛି ରୋଜଗାର କରୁଛନ୍ତି ସେଇଥିରେ କାମେଶ୍ୱର ନିଜେ ଚଳିବା ସହ ଗରିବ, ଅନାଥ ପିଲାଙ୍କ ଭବିଷ୍ୟତ ଗଢିବାରେ ଖର୍ଚ୍ଚ କରିଦେଉଛନ୍ତି । ଅବିବାହିତ ଥିବା କାମେଶ୍ୱରଙ୍କ ବୟସ ଏବେ ପାଖାପାଖି ୪୮ ବର୍ଷ ବୟସ ହେବ । ଆଜକୁ ପ୍ରାୟ ୧୭ ବର୍ଷ ହେଲା ଗରିବ, ଅନାଥ ପିଲାଙ୍କ ପାଇଁ ସାହାରା ବନି ଆସୁଥିବା ବେଳେ ଏଯାଏଁ ପ୍ରାୟ ଶହେ ଜଣଙ୍କୁ ଶିକ୍ଷାର ଆଲୋକ ଦେଖାଇ ପାରିଛନ୍ତି କାମେଶ୍ୱର ।

ତେବେ ଖାଲି ଏତିକି ନୁହେଁ, ଅଜଣା ଅଚିହ୍ନା ପିଲାଙ୍କୁ ସ୍କୁଲ, କଲେଜରେ ନାମ ଲେଖାଇଦେବା ସହ ଆବଶ୍ୟକୀୟ ପାଠ୍ୟ ଉପକରଣ କିଣିବା ଏବଂ ପକେଟ ଖର୍ଚ୍ଚ ଦେବାରେ ମଧ୍ୟ ସାହାଯ୍ୟ କରନ୍ତି କାମେଶ୍ୱର । ଏପରିକି ହଷ୍ଟେଲ ପାଉ ନଥିବା ପିଲାଙ୍କୁ ବି କାମେଶ୍ୱର ନିଜ ପାଖରେ ରଖି ପାଠ ପଢାଉଛନ୍ତି । ପିଲାମାନେ ରହିବାର ସୁବିଧା ପାଇଁ ନିଜ ଜମିରେ ଏକ ହଷ୍ଟେଲ ନିର୍ମାଣ କରିବା ପାଇଁ ସ୍ଥାନୀୟ ବିଧାୟକଙ୍କୁ ଅନୁରୋଧ କରିଛନ୍ତି କାମେଶ୍ୱର । ତେବେ ବାପାଙ୍କ ଉପଦେଶ ମାନି ଏଭଳି କାମ କରୁଥିବା କୁହନ୍ତି କାମେଶ୍ୱର । ଘର ସଂସାର କରିବା ବିଷୟରେ ପଚାରିଲେ ଗରିବ, ଅନାଥ ପିଲାମାନେ ହିଁ ମୋର ପରିବାର ବୋଲି ସେ କହିଛନ୍ତି । ସେହିଭଳି ଅପରିଚିତ ପିଲାଙ୍କୁ ଘରେ ଆଣି ରଖିବା ଦେଖି ପ୍ରଥମେ ତାଙ୍କ ଭାଇମାନେ ପସନ୍ଦ କରୁନଥିଲେ ହେଲେ ଏବେ କିନ୍ତୁ କାମେଶ୍ୱରଙ୍କ ଏଭଳି ସେବା ମନୋବୃତ୍ତିକୁ ଭାଇମାନେ ଭୁରି ଭୁରି ପ୍ରଶଂସା କରୁଛନ୍ତି । ତେବେ କାମେଶ୍ୱରଙ୍କ ଏଭଳି ମହତ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଥିବା ବେଳେ ଏଥିପାଇଁ ସରକାରୀ ସାହାଯ୍ୟ କରିବାକୁ ଦାବି ହୋଇଛି ।