ଅସହାୟ ଲୋକଙ୍କ ସାହା ପାଲଟିଛି ‘ଅମୂଲ୍ୟ ଜୀବନ ଫାଉଣ୍ଡେସନ’ । ଭୋକିଲା ଲୋକଙ୍କୁ ଯୋଗାଉଛି ଆହାର, ଲକଡାଉନରେ ବାଣ୍ଟିଲେଣି ଦେଢ ଲକ୍ଷ ରନ୍ଧା ଖାଦ୍ୟ ପ୍ୟାକେଟ ।

120

କନକ ବ୍ୟୁରୋ : କରୋନା କାଳରେ ଅନେକ ଲୋକ ନିଜର ସମ୍ପର୍କୀୟଙ୍କ ଠାରୁ ଦୂରେଇ ଯାଉଥିବାର ନଜିର ରହିଛି । ଭାଇରସ କାରଣରୁ ଭାଇଚାରାରେ ଭଟ୍ଟା ପଡିଛି । ଦି ଓଳି ଦି ମୁଠା ଖାଇବା ପାଇଁ ବି ଅନେକ ଲୋକଙ୍କ ପାଖରେ ଟଙ୍କା ନାହିଁ । କିନ୍ତୁ ଏହି ମହାମାରୀ ମହାସଙ୍କଟ ଭିତରେ ବି ବଞ୍ଚିରହିଛି ମାନବିକତା । କରୋନା ଭଳି କଠିନ ସମୟରେ ଗରିବ ଶ୍ରମିକ, ଦିନ ମଜୁରିଆଙ୍କ ସାଥୀରେ ଅନେକ ଲୋକ ଛିଡା ହୋଇଛନ୍ତି । ଆଉ ସେଥିମଧ୍ୟରୁ ଅବିନାଶ ଖେମକା ଜଣେ । କରୋନା ପରି ଏକ ଭୟଙ୍କର କାଳରେ ସାଧାରଣ ଲୋକଙ୍କ ସାଥିରେ ରହି ‌ସେମାନଙ୍କ ଦୁଃଖ ବୁଝି ସହଯୋଗର ହାତ ବଢ଼ାଇ ଏବେ ଚର୍ଚ୍ଚିତ ପାଲଟିଛନ୍ତି ‘ଅମୂଲ୍ୟ ଜୀବନ ଫାଉଣ୍ଡେସନ୍‌’ର ପ୍ରତିଷ୍ଠାତା ଅବିନାଶ ଖେମକା।

ଅବିନାଶ ଜଣେ ଶିଳ୍ପପତି,ବନ୍ୟଜନ୍ତୁ ଫଟୋଗ୍ରାଫର ଏବଂ ସାମାଜିକ ସେବା ପାଇଁ ଉତ୍ସର୍ଗୀକୃତ ମଣିଷ। ୨୦୨୦ ମସିହା ଜୁନ୍‌ ମାସରେ ମହାମାରୀ ସମୟରେ ଜାତୀୟ ରାଜପଥରେ ପ୍ରବାସୀ ଶ୍ରମିକମାନଙ୍କୁ ଖାଇବାକୁ ଦେଇ ଉଦାହରଣ ପାଲଟିଥିବା ଅବିନାଶ ସେହି ସମୟରେ ‘ଅମୂଲ୍ୟ ଜୀବନ ଫାଉଣ୍ଡେସନ୍‌’ର ପ୍ରତିଷ୍ଠା କରିଥିଲେ। ଗତ ବର୍ଷ ମେ-ଜୁନ୍‌ ଲକଡାଉନ୍‌ କାଳରେ ସେ ଦୀର୍ଘ ୪୦ ଦିନ ଧରି ଲୋକଙ୍କୁ ଏହି ସେବା ଯୋଗାଇଥିଲେ।

କଟକ ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ବାନ୍ଦାଲୋ ଜାତୀୟ ରାଜପଥ ଦେଇ ଯାଉଥିବା ପ୍ରାୟ ୮୦ ହଜାରରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ମାଗଣା ରନ୍ଧା ଏବଂ ପ୍ୟାକେଟ୍‌ ଖାଦ୍ୟ ଦେଇ ଚର୍ଚ୍ଚିତ ପାଲଟିଥିଲେ ଅବିନାଶ। କେବଳ ସେତିକି ନୁହେଁ, ଓଡ଼ିଶାର ବିଭିନ୍ନ ଗାଁ, ପଶ୍ଚିମବଙ୍ଗ, ଝାରଖଣ୍ଡ ଏବଂ ବିହାରକୁ ଯାଉଥିବା ପ୍ରବାସୀ ଶ୍ରମିକଙ୍କୁ ମାଗଣା ପରିବହନ ସୁଯୋଗ ମଧ୍ୟ ଯୋଗାଇ‌ ଦେଇଥିଲେ।ସେହିପରି ଚଳିତବର୍ଷ ମେ ୫ ତାରିଖରୁ ଏହି ଫାଉଣ୍ଡେସନ୍‌ ପ୍ରତିଦିନ ୪୦୦୦ରୁ ଅଧିକ ଭୋକିଲା ଲୋକଙ୍କ ମୁହଁରେ ଦାନା ଦେଉଛି। ପ୍ରତିଦିନ ୧୯୦୦ ପ୍ୟାକେଟ୍‌ ମାଗଣା ଜଳଖିଆ କଟକର ବିଭିନ୍ନ ଅଞ୍ଚଳର ଆବଶ୍ୟକୀୟ ଅନୁଭବ କରୁଥିବା ଲୋକଙ୍କୁ ଯୋଗାଇ ଦିଆଯାଉଛି।

ଚଳିତବର୍ଷ ଲକଡାଉନ୍ ଲାଗୁ ହେବା ପରଠାରୁ ଏବେ ଯାଏଁ ଅବିନାଶ ଓ ତାଙ୍କ ଫାଉଣ୍ଡେସନ ଭୋକିଲା ଲୋକଙ୍କୁ ପାଖାପାଖି ଦେଢ ଲକ୍ଷ ମିଲ୍ ଯୋଗାଇ ଦେଇଛନ୍ତି । କେବଳ ଏତିକି ନୁହେଁ କରୋନାରେ ସଂକ୍ରମିତ ବ୍ୟକ୍ତିଙ୍କ ପାଖରେ ପାଖାପାଖି ୨୦ ହଜାର ମିଲ୍ ପହଞ୍ଚାଇଛନ୍ତି ଅବିନାଶଙ୍କ ଫାଉଣ୍ଡେସନ । କେବଳ ସେତିକି ନୁହେଁ, ଏହାବ୍ୟତୀତ କରୋନା ଆକ୍ରାନ୍ତ, ରାସ୍ତାବୁଲା ପଶୁଙ୍କ ପାଇଁ ଖାଦ୍ୟ, ସୁଖିଲା ତେଜରାତି ସାମଗ୍ରୀ ଆଦି ଯୋଗାଇ ଦେଇ ଏକ ନୂତନ ଉଦାହରରଣ ସୃଷ୍ଟି କରିଛି ଏହି ଫାଉଣ୍ଡେସନ୍‌।