ବାଣ ଫୁଟିବା ଯୋଗୁଁ ଟ୍ରେନ ହର୍ଣ୍ଣ ଶୁଣିପାରିଲେନି ଲୋକେ, ଘଟିଲା ଦୁର୍ଘଟଣା : ରେଳ ରାଷ୍ଟ୍ରମନ୍ତ୍ରୀ

40

କନକ ବ୍ୟୁରୋ : ପଂଜାବ ଅମୃତସର ଟ୍ରେନ ଦୁର୍ଘଟଣାରେ ଏଯାଏଁ ୬୦ ଜଣଙ୍କ ମୃତ୍ୟୁ ହୋଇଛି । ଆହୁରି ୪୦ ଜଣ ଆହତ ଅଛନ୍ତି । ସେମାନଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ଫଳରେ ମୃତକଙ୍କ ସଂଖ୍ୟା ଆହୁରି ବଢିବା ଆଶଙ୍କା ରହିଛି । ଗୁରୁତର ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତର ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ୨୪ ଘଂଟିଆ ନଜର ରଖିଛନ୍ତି । ସେହିପରି ମୃତାହତ ପରିବାର ଲୋକଙ୍କ ପାଇଁ ହେଲପ ଡେକ୍ସ ଗଠନ ଓ ହେଲପ ଲାଇନ ନଂବର ଜାରି କରାଯାଇଛି । ଅନ୍ୟପଟେ ଆଜି ପଂଜାବର ସବୁ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରହିବ ବୋଲି ସୂଚନା ମିଳିଛି ।

ସେପଟେ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି ଲୋକେ ଟ୍ରେନ ହର୍ଣ୍ଣ ଶୁଣିନପାରିବାରୁ ଦୁର୍ଘଟଣା ଘଟିଛି । ରାବଣ ପୋଡି ସମୟରେ ବାଣ ଫୁଟିବା ଶବ୍ଦରେ ଲୋକେ ଟ୍ରେନ ହର୍ଣ୍ଣ ଶୁଣିପାରିନଥିଲେ । ଯାହା ପାଇଁ ଏତେ ବଡ ଦୁର୍ଘଟଣା ଘଟିଗଲା ବୋଲି କହିଛନ୍ତି ରେଳ ରାଷ୍ଟ୍ରମନ୍ତ୍ରୀ । କିଛି ଲୋକ ଟ୍ରେନ ଟ୍ରାକରେ ବସିଥିବାରୁ ହଠାତ୍ ଉଠିନପାରି ଟ୍ରେନ ଚାପାରେ ଆସିଯାଇଥିଲେ । ରାବଣ ପୋଡି କାର୍ଯ୍ୟକ୍ରମ ସଂପର୍କରେ ଜିଲ୍ଲା ପ୍ରଶାସନ ତରଫରୁ ରେଳବାଇକୁ କୌଣସି ସୂଚନା ଦିଆଯାଇନଥିଲା । ଏହାଛଡା ରେଳ ଧାରଣାକୁ ଲାଗି ଏପରି ଆୟୋଜନ କରିବା ଅନୁଚିତ ବୋଲି କହିଛନ୍ତି ମନୋଜ ସିହ୍ନା । ସେହିପରି ଆଇନ ଶୃଙ୍ଖଳା ରକ୍ଷା କରିବା ରାଜ୍ୟ ସରକାରଙ୍କ କାମ । ହେଲେ ଏପରି ଦୁଃଖଦ ଘଟଣାକୁ ନେଇ ରାଜନୀତି କରିବା ଅନୁଚିତ ବୋଲି ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ।