ଅମୃତସର ଅକ୍ରମଣ ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳରେ ପଂହଚିଲା ଏନଆଇଏ: ଆଇଏସର ହାତ ଥିବା ସନ୍ଦେହ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

୨ ସନ୍ଦିଗ୍ଧକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

89

କନକ ବ୍ୟୁରୋ: ପଞ୍ଜାବରେ ପୁଣି ଆତଙ୍କବାଦୀ ହମଲା । ପ୍ରାର୍ଥନା ସଭାରେ ଗ୍ରେନେଡେ୍ ଆକ୍ରମଣରେ ୩ ଜଣ ମୃତ ଓ ୨୦ଜଣ ଆହତ ହୋଇଛନ୍ତି । ଗତକାଲି ରାତିରେ ଅମୃତସର ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ଏନଆଇଏ ଅଧିକାରୀ । ସେହିପରି ବିଳମ୍ବିତ ରାତିରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଘଟଣାକୁ ନେଇ ପଂଜାବ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ଉଭୟ ସରକାର ଓ ପୁଲିସ୍ ସନ୍ଦେହ ପ୍ରକାଶ କରିଛନ୍ତି । ପଂଜାବ ପୁଲିସ ବିଠଣ୍ଡା ନିକଟରେ ଚେକିଂ ବେଳେ ଦୁଇ ସନ୍ଦିଗ୍ଧଙ୍କୁ ଗୋଟିଏ ପିସ୍ତଲ ଓ ତିନି ମ୍ୟାଗାଜିନ ସହ ଗିରଫ କରିଛି । ଏବେ ପୁଲିସ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

ସେପଟେ ପଞ୍ଜାବ ଓ ଦିଲ୍ଲୀ ସମତେ ଗ୍ରେଟର ନୋଏଡାରେ ହାଇ ଆଲର୍ଟ ଜାରି କରାଯାଇଛି । ଅମୃତସର ସମେତ ରାଜ୍ୟର ଅନ୍ୟ ସହରଗୁଡ଼ିକୁ ସିଲ୍ କରିଦେଇଛି ପଂଜାବ ପୁଲିସ୍ । କାଲି ଅମୃତସରର ରାଜାସାନ୍ସି ଅଂଚଳର ନିରଂକରୀ ଭବନରେ ପ୍ରାର୍ଥନା ସଭା ଚାଲିଥିବା ବେଳେ ହମଲା ହୋଇଥିଲା । ବାଇକରେ ଦୁଇ ଜଣ ମୁଖାବିନ୍ଧା ଲୋକ ଆସି କେହି କିଛି ବୁଝିବା ଆଗରୁ ଗ୍ରେନେଡ୍ ମାଡ଼ କରି ଫେରାର ହୋଇ ଯାଇଥିଲେ । ଗ୍ରେନେଡ ମାଡରେ ଘଟଣାସ୍ଥଳରେ ୩ ଜଣଂକ ଜୀବନ ଯାଇଥିବା ବେଳେ ୨୦ ଆହତଂକୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି । ନିକଟରେ କାଶ୍ମୀରର ଦୁର୍ଦ୍ଦାନ୍ତ ଆତଂକାବଦୀ ଜାକିର ମୁସା ପଞ୍ଜାବରେ ପ୍ରବେଶ କରିବା ନେଇ ଗୁଇନ୍ଦା ଏଜେନ୍ସି ସୂଚନା ଦେଇଥିଲେ । ଏହାକୁ ନେଇ ପୂରା ରାଜ୍ୟରେ ହାଇ ଆର୍ଲଟ ଥିବାବେଳେ ଘଟଣା ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଅନ୍ୟପଟେ, ବିସ୍ଫୋରଣରେ ମୃତକ ଓ ଆହତଙ୍କ ପାଇଁ ପଂଜାବ ସରକାରଙ୍କ ସାହାର୍ଯ୍ୟ ରାଶି ଘୋଷଣା । ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ଲକ୍ଷ ଲେଖାଏଁ ସାହାର୍ଯ୍ୟ ରାଶି ପ୍ରଦାନ ନେଇ ଘୋଷଣା କରାଯାଇଛି । ଅନ୍ୟପଟେ ଆହତଙ୍କ ପାଇଁ ସମ୍ପୂର୍ଣ୍ଣ ମାଗା ଚିକିତ୍ସା ଘୋଷଣା କରାଯାଇଛି । ସେପଟେ ବିସ୍ଫୋରଣ ଘଟଣାକୁ ନେଇ ପଂଜାବ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂ । ଦୋଷୀଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଂଜାବ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜନାଥ ।